ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ଅଘଟଣ : ଗହଳି ଓ ଦଳାଚକଟାରେ ଦୁଇ ଶ୍ରଦ୍ଧାଳୁ ମୃତ

Published By : Prameya-News7 Bureau | August 20, 2022 IST

ନୂଆଦିଲ୍ଲୀ, ୨୦|୦୮: ଜନ୍ମାଷ୍ଟମୀ ଉପଲକ୍ଷେ ଶୁକ୍ରବାର ସାରା ଦେଶ ଉତ୍ସବ ମନାଉଥିବା ବେଳେ ମଥୁରା ଜିଲ୍ଲାରେ ଏକ ଅଘଟଣ ଘଟିଛି । ବୃନ୍ଦାବନରେ ଅବସ୍ଥିତ ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ବିଳମ୍ବିତ ରାତିରେ ଗହଳି ଓ ଦଳାଚକଟାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ମନ୍ଦିର ମଧ୍ୟରେ ଏତେ ଭକ୍ତ ଥିଲେ ଯେ ଆଳତି ବେଳେ ୫୦ ଜଣ ବେହୋସ ହୋଇଯାଇଥିଲେ । ଭିଡ କାରଣରୁ ଅଘଟଣ ଘଟିଥିଲା । ଯାହାଫଳରେ ଦଳଚକଟା ହୋଇଥିବା । ତେବେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତି ହେଲେ ନୋଏଡାର ନିର୍ମଳା ଦେବୀ ଓ ଜବଲପୁରର ରାଜକୁମାର ।

ମନ୍ଦିରର କିଛି ସେବାୟତଙ୍କ କହିବାନୁସାରେ, ଅଧିକାରୀମାନେ ଭିଆଇପି ଭକ୍ତଙ୍କୁ ଆତିଥ୍ୟ ଦେବାକୁ ଯାଇ ଏପରି ପରିସ୍ଥିତି ଉପୁଜିଥିଲା । ଜଣେ ବଡ ଅଧିକାରୀ ତାଙ୍କ ମାଆଙ୍କ ଧରି ଆସିଥିଲେ । ସେହିପରି ମଥୁରା ରିଫାଇନାରୀର ଜଣେ ବରିଷ୍ଠ ପୋଲିସ ଅଧିକାରୀ ୭ ପରିବାର ସଦସ୍ୟଙ୍କ ସହ ମଙ୍ଗଳା ଆଳତି ବେଳେ ଉପସ୍ଥିତ ଥିଲେ ।

ସେବାୟତ ଆହୁରି କହିଛନ୍ତି,ଅଧିକାରୀଙ୍କ ପରିବାର ଲୋକେ ବାଲକୋନୀରୁ ଦର୍ଶନ କରୁଥିଲେ । ସେମାନଙ୍କ ପାଇଁ ଉପର ମହଲା କବାଟ ମଧ୍ୟ ବନ୍ଦ ଥିଲା । ତେଣୁ ଲୋକଙ୍କୁ ଉଦ୍ଧାର କରିବାରେ ଅସୁବିଧା ହୋଇଥିଲା ।

କିଛି ଭକ୍ତଙ୍କ କହିବାନୁସାରେ, ବାବୁମାନେ ସେମାନଙ୍କ ପରିବାର ଲୋକଙ୍କ ସହ ବ୍ୟସ୍ତ ଥିଲେ । ରାତି ଦୁଇଟାରେ ଗହଳି ବଢିବାରୁ ଦଳାଚକଟା ହୋଇଥିଲା । କିଛି ଲୋକେ ବେହୋସ ହୋଇଯାଇଥିଲେ । ପୋଲିସ ପ୍ରଶାସନ ପ୍ରଥମେ ସେମାନଙ୍କ ପରିବାର ଲୋକଙ୍କୁ ବାହାର କରିଥିଲେ । ତେବେ ମଥୁରା ଏସଏସପି ଭିଆଇପି ଭକ୍ତ ନେଇ ଆସିଥିବା ଅଭିଯୋଗକୁ ଖାରଜ କରିଦେଇଛନ୍ତି । ଯଦି କାହା ପାଖରେ ପ୍ରମାଣ ଅଛି ତେବେ ପ୍ରମାଣିତ କରନ୍ତୁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.