କେନ୍ଦ୍ରାପଡାରେ ଦିନ ଦ୍ବିପ୍ରହରେ ବ୍ୟାଙ୍କ ଭିତରେ ଅଧିକାରୀଙ୍କ ମଦ୍ୟପାନ
5/09/2018 at 11:52 AM

କେନ୍ଦ୍ରାପଡା ୫/୯: ଦିନ ଦ୍ବିପ୍ରହରେ ମଦ୍ୟପାନ। ତାହା ପୁଣି ବ୍ୟାଙ୍କ୍ ଭିତରେ। ମଦ୍ୟପାନ କରୁଛନ୍ତି ବ୍ୟାଙ୍କ୍ର ମ୍ୟାନେଜର୍ ଓ କ୍ୟାସିୟର୍। କେନ୍ଦ୍ରାପଡା ଜିଲ୍ଲା ଆଳି ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍, ମହୁ ଶାଖାର ଏ ହେଉଛି ଘଟଣା। ପାଖରେ ଖବରକାଗଜ ଉପରେ ରହିଛି ଭଳିକି ଭଳି ଚାଖଣା। ହାତରେ ସୁରା ଭର୍ତି ଉଛୁଳା ଗ୍ଲାସ୍। ମରା ଚାଲିଛି ଢୋକ ପରେ ଢୋକ। ବ୍ୟାଙ୍କର ଦୁଇ ଅଧିକାରୀଙ୍କ ଏ ଆସର ଚାଲିଛି ମଧ୍ୟାହ୍ନରେ। ଯେତେବେଳେ ବ୍ୟାଙ୍କରେ ଭର୍ତି ହୋଇଛନ୍ତି ଗ୍ରାହକ। ଯେତେବଳେ ଗ୍ରାହକଙ୍କୁ ସେବା ଦେବାର ସମୟ। ଠିକ୍ କାମ ଭିଡ ବେଳେ ଚାଲିଛି ଏ ଖଟି। ବ୍ୟାଙ୍କକୁ ଲାଗିକି ରହିଛି ମହୁ ପ୍ରାଥମିକ ବିଦ୍ୟାଳୟ। ଏହି ବ୍ୟାଙ୍କରେ ସ୍ଥାନୀୟ ଅଟାଳ, ମହୁ, କୋଳଡିହ, ନଳପାହି ପ୍ରଭୃତି ପଂଚାୟତର ପ୍ରାୟ ୧୦ହଜାର ଲୋକ ନିଜ ଆର୍ଥିକ କାରବାର କରିଥାଆନ୍ତି। କିନ୍ତୁ ଲୋକମାନଙ୍କୁ ସେବା ଯୋଗାଇ ଦେବା ପରିବର୍ତେ ବ୍ୟାଙ୍କ୍ର ଅଧିକାରୀ ଓ କର୍ମଚାରୀ କିଭଳି ମଉଜ ମଜଲିସରେ ମାତିଛନ୍ତି। ଏହି ବ୍ୟାଙ୍କରେ ଅନିୟମିତ ସେବା ଯୋଗାଣକୁ ନେଇ ଦୀର୍ଘଦିନ ଧରି ଅଭିଯୋଗ ହୋଇ ଆସୁଥିଲା। ଏଠାରେ ଲୋକମାନଙ୍କୁ ଋଣ ପ୍ରଦାନରେ ଅଯଥା ତଥା ଅନାବଶ୍ୟକ ବିଳମ୍ବ କରାଯିବା ଏବଂ ଋଣ କରିଦେବା ପାଇଁ ଅର୍ଥ ଦାବି କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା।