ବକେୟା ଦାବିରେ ଧର୍ମଘଟ, ଧାରଣାରେ ବସିଲେ ବ୍ୟାଙ୍କ ମ୍ୟାନେଜର
16/01/2023 at 12:51 PM

ନୂଆଦିଲ୍ଲୀ ୧୬/୦୧: ଧାରଣାରେ ବସିଲେ ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜର । ଶୁକ୍ରବାର ଦିନ ତିରୁପାତୁର ନିକଟ ବିଶାମଙ୍ଗଲାମରେ ଜଣେ ଗ୍ରାହକଙ୍କ ହାର୍ଡୱେର ଦୋକାନ ସମ୍ମୁଖରେ ଧର୍ମଘଟ କରିଥିଲେ ସେହି ମ୍ୟାନେଜର ଜଣଙ୍କ ।
ପୋଲିସ କହିବା ମୁତାବକ, ତିରୁପାତୁର ସ୍ଥିତ ବ୍ୟାଙ୍କ ଆକାଉଣ୍ଟଧାରୀ ୪୭ ବର୍ଷାୟ, ଏସ୍. ଅରୁଣାଗିରି ତାଙ୍କ ହାର୍ଡୱେର ବ୍ୟବସାୟକୁ ବିସ୍ତାର କରିବାକୁ ଦୁଇ ବର୍ଷ ପୂର୍ବେ ବ୍ୟାଙ୍କରୁ ଦେଢ କୋଟି ଟଙ୍କା ଋଣ ନେଇଥିଲେ । ତେବେ ସେବେଠାରୁ ସେ ଋଣର ମୂଳ ପରିମାଣ ଏବଂ ସୁଧ ପରିଶୋଧ କରି ନଥିବା ଜଣାଯାଇଛି। ବ୍ୟାଙ୍କ ତାଙ୍କୁ ନିୟମିତ ନୋଟିସ ଏବଂ ଚେତାବନୀ ପଠାଉଥିଲା । ହେଲେ ଅରୁଣାଗିରିଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରୁନଥିଲା ।
ବ୍ୟାଙ୍କ ମ୍ୟାନେଜର ଏସ୍ ହେମାନ କୁମାର ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ହାର୍ଡୱେର ଦୋକାନକୁ ଯାଇ ତାଙ୍କ ଦେୟ ୧.୭୫ କୋଟି ଟଙ୍କା ଦେବାକୁ ଦାବି କରିଥିଲେ । ତାଙ୍କ ଋଣ ପରିଶୋଧର ଅଂଶ ଭାବରେ ଅରୁଣାଗିରି ପ୍ରାୟ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ବ୍ୟାଙ୍କ ସହିତ ତାଙ୍କର ଦେୟ ସମାଧାନ ପାଇଁ ସେ ଅଧିକ ସମୟ ମାଗିଥିଲେ ।
ତେବେ ତାଙ୍କ ପ୍ରତିକ୍ରିୟାରେ ବିରକ୍ତ ହୋଇଥିଲେ ଶ୍ରୀ ହେମାନ କୁମାର । ଓଲଟା ଅରୁଣାଗିରିଙ୍କ ଦେୟ କ୍ଲିଅର କରିବାକୁ ଦାବି କରିଥିଲେ । ଦାବି କରି ଦୋକାନ ଆଗରେ ବସିଥିଲେ। ଦୀର୍ଘ ୬ ଘଣ୍ଟା ଧାରଣାରେ ବସି ରହିଥିଲେ ହେମାନ କୁମାର । ପରେ ପୋଲିସ ଓ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଧାରଣାରୁ ହଟିଥିଲେ । ଏହାସହ ଅରୁଣାଗିରିଙ୍କୁ କଡ୍ଡା ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ।