ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୯ଲକ୍ଷ ୬୬ହଜାର ଲୁଟ୍‌, ନୋଟ ସବୁ ନେଲେ, ୪୨ହଜାର କଏନ ଫୋପାଡିଦେଲେ

Published By : Prameya-News7 Bureau | February 11, 2020 IST

କେନ୍ଦୁଝର ୧୧।୦୨: କେନ୍ଦୁଝର ପଳାଶପଙ୍ଗା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ଲୁଟ୍‌ । ବ୍ୟାଙ୍କର ଷ୍ଟ୍ରଙ୍ଗ୍‌ରୁମ୍‌ରୁ ୯ ଲକ୍ଷ ୬୬ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ତେବେ ଚୋରି ହୋଇଥିବା ଟଙ୍କା ମଧ୍ୟରୁ ୪୨ ହଜାର ଟଙ୍କାର କଏନ୍‌ କେବଳ ଥିବାରୁ ରାସ୍ତାରେ  ଫିଙ୍ଗି ଦେଇଛନ୍ତି ଲୁଟେରାମାନେ । ଘଟଣାସ୍ଥଳରେ ପୋଲିସ  ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛି  ।

ପଳାଶପଙ୍ଗା ଓଡ଼ିଶା ସ୍ପଞ୍ଜ ଆଇରନ୍‌ କାରଖାନା ପରିସରରେ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଏକ ଶାଖା ରହିଛି । ଭଙ୍ଗା ଦଦରା ଘରେ ଚାଲିଥିବା ଏହି ବ୍ୟାଙ୍କ୍‌କୁ ଡକାୟତମାନେ ପୂର୍ବରୁ ୩ ଥର ଟାର୍ଗେଟ୍‌ କରିଥିଲେ । ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବାରୁ ଏହି ସମୟରେ ଡକାୟତମାନେ ବ୍ୟାଙ୍କ ଲୁଟିବାରେ ସକ୍ଷମ ହୋଇଛନ୍ତି ।

ଡକାୟତମାନେ ବ୍ୟାଙ୍କର ପଛପଟ କାରଖାନା ପରିସର ଦେଇ ଝରକା ତାଡ଼ିବା ପରେ ଭିତରକୁ ପଶି ଗ୍ୟାସ୍‌ କଟର ଦ୍ୱାରା ଷ୍ଟ୍ରଙ୍ଗ୍‌ରୁମ୍‌କୁ ତାଡ଼ି ୯ ଲକ୍ଷ ୬୬ ହଜାର ଟଙ୍କା ଲୁଟିଛନ୍ତି । ବ୍ୟାଙ୍କର ସିସି କ୍ୟାମେରାକୁ ଭାଙ୍ଗି ସଂଯୋଗ ବିଚ୍ଛିନ୍ନ କରି ଦେଇଛନ୍ତି । ଡକାୟତମାନେ ଲକରରେ ଥିବା ୪୨ ହଜାର ଟଙ୍କାର କଏନ୍‌ ମଧ୍ୟ ନେଇ ଯାଇଥିଲେ । ହେଲେ ଯିବା ସମୟରେ ଓଜନ ହେବାରୁ ଏହି ପରିମାଣର କଏନ୍‌ଗୁଡ଼ିକୁ ପଛପଟେ ଫିଙ୍ଗିଦେଇ ଚାଲି ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.