ଟ୍ରାଭେଲ କମ୍ପାନୀ Cox & Kings ଦେବାଳିଆ, ପ୍ରମୋଟର ପିଟର କେରକରଙ୍କୁ ଗିରଫ କଲା ଇଡି

Published By : Prameya-News7 Bureau | November 27, 2020 IST

ନୂଆଦିଲ୍ଲୀ ୨୭/୧୧: ଟ୍ରାଭେଲ ଆଣ୍ଡ ଟୁରସ୍‌ କମ୍ପାନୀ କକ୍ସ ଆଣ୍ଡ କିଙ୍ଗସ୍‌ (Cox & Kings) ର ପ୍ରମୋଟର ପିଟର କେରକରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଏକାଧିକ ବ୍ୟାଙ୍କରୁ ୫,୫୦୦ କୋଟି ଟଙ୍କାର ଋଣ ଘୋଟାଲା ଓ ମନି ଲଣ୍ଡରିଂ ମାମଲାରେ ପିଟରଙ୍କୁ ଇଡି ଗିରଫ କରିଥିବା ଜଣାପଡ଼ିଛି। ସବୁଠୁ ଅଧିକ ୨୨୬୭ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ବାକି ପଡ଼ିଛି।

ତେବେ ଟ୍ରାଭେଲ୍‌ କମ୍ପାନୀ କକ୍ସ ଆଣ୍ଡ କିଙ୍ଗସ୍‌ ଦେବାଳିଆ ହୋଇଯାଇଛି। ଅକ୍ଟୋବର ୨୦୧୯ରେ କମ୍ପାନୀକୁ ବ୍ୟାଙ୍କରୁପସୀ କୋର୍ଟକୁ ପଠାଯାଇଥିଲା। ଏହି କମ୍ପାନୀର ପ୍ରତିଷ୍ଠାତା କେରକର ଓ ତାଙ୍କ ପରିବାର। ଚଳିତ ମାସ ସିବିଆଇ କକ୍ସ ଆଣ୍ଡ କିଙ୍ଗସ୍‌ର ସହଯୋଗୀ କମ୍ପାନୀ ଇଜିଗୋ ଆଣ୍ଡ ଟୁର୍ସ ଲିମିଟେଡ୍‌ ବିରୋଧରେ ମାମଲା ରୁଜୁ କରିଥିଲା। ୟେସ୍‌ ବ୍ୟାଙ୍କରେ ୯୦୦ କୋଟିରୁ ଅଧିକ ଋଣ ଘୋଟାଲାକୁ ନେଇ ମାମଲା ରୁଜୁ କରିଥିଲା ସିବିଆଇ।

ଯାଞ୍ଚ ବେଳେ ଇଡି ଜାଣିବାକୁ ପାଇଥିଲା ଯେ କକ୍ସ ଆଣ୍ଡ କିଙ୍ଗସ୍‌ କାଳ୍ପନିକ ଗ୍ରାହକଙ୍କ ନାଁ ବ୍ୟବହାର କରି ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ ନେଇଥିଲା। ପରେ ଏହି ଟଙ୍କା ପରିଶୋଧ କରିପାରି ନଥିଲା। ମାର୍ଚ୍ଚ ୮ରେ ଇଡି ୟେସ୍‌ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦେଶକ ରାଣା କପୁରଙ୍କୁ ଗିରଫ କରିଥିଲା। ସବିଆଇ କମ୍ପାନୀର ବରିଷ୍ଠ ଅଧିକାରୀ ଅଜିତ ପିଟର କେରକର, ଉର୍ଶିଲା କେରକର, ନିଲୁ ସିଂହ, ଅରୁପ ସେନ, ମନୀଷ ଅମରାପୁରକର, ପ୍ରେସି ପଟେଲ ଓ କାର୍ତ୍ତିକ ଭେଙ୍କଟରମଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.