ବ୍ୟାଙ୍କରୁ କୋଟିଏ ଟଙ୍କାର ସୁନାଗହଣା ଲୁଟ୍, ୨ କର୍ମଚାରୀ ଗିରଫ, ଗୋଟିଏ ବର୍ଷରେ ଲୁଟିଥିଲେ ୨ କେଜିରୁ ଅଧିକ ଅଳଙ୍କାର

Published By : Prameya-News7 Bureau | December 04, 2020 IST

ମଦୁରାଇ, ୦୪।୧୨:  ଏବେଯାଏଁ କଟକ ଆଇଆଇଏଫ୍‌ଏଲ୍‌  ଫାଇନାନ୍ସ ସଂସ୍ଥାରୁ କୋଟି କୋଟି ଚଙ୍କାର ସୁନା ଗହଣା ଲୁଟ୍ ମାମଲା ଲୋକଙ୍କ ମନରୁ ଲିଭିନାହିଁ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ବ୍ୟାଙ୍କର ଅନେକ କର୍ମଚାରୀ । ଏପରି ଏକ ସମାନ ଘଟଣା ତାମିଲନାଡୁର ମଦୁରାଇରେ ସାମ୍ନାକୁ ଆସିଛି । ବ୍ୟାଙ୍କ ଗ୍ରାହକଙ୍କ ୧ କୋଟି ଟଙ୍କାର ସୁନା ଗହଣା ଲୁଟ୍ ମାମଲାରେ ପୋଲିସ ସ୍କାନରକୁ ଆସିଛନ୍ତି ୨ ଅଧିକାରୀ ।

ସୂଚନାନୁସାରେ, ମଦୁରାଇ ଉତ୍ତର ଭେଲିରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରୁ ଗତ କିଛି ଦିନ ତଳେ ସୁନା ଗହଣା ଲୁଟ୍ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଏମ ହରିହରପୁଥିରାନଙ୍କୁ ଗିରଫ କରିଛି ।ଆଉଜଣେ ବ୍ୟାଙ୍କ ଅଧିକାରୀ ଜି ବାଳକ୍ରିଷ୍ଣନଙ୍କୁ ଗିରଫ ପାଇଁ ପ୍ରକ୍ରିୟା ଜାରି ରହିଛି ।

ପୋଲିସ କହିଛି ଯେ, ଏହି ଦୁଇ ଅଧିକାରୀ ଗତ ଏକ ବର୍ଷ ଧରି ବ୍ୟାଙ୍କରୁ ଟଙ୍କା ଓ ସୁନାଗହଣା ଲୁଟୁଥିଲେ । ନଭେମ୍ବର ପ୍ରଥମ ସପ୍ତାହରେ ଏହି ମାମଲା ସାମ୍ନାକୁ ଆସିଥିଲା । ଯାଞ୍ଚ କରିବା ବେଳେ ନଭେମ୍ବରରେ ୪୫୦ ଗ୍ରାମର ସୁନା ଅଳଙ୍କାରର କୌଣସି ପତ୍ତା ମିଳିନଥିଲା । ଯାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ । ପରେ ଗତ ଏକ ବର୍ଷରେ ୨.୧୬୨ କେଜି ସୁନା ଯାହାର ମୂଲ୍ୟ ୧ କୋଟିରୁ ଅଧିକ ହେବ ଗାଏବ ଥିବା ଜଣାପଡିଥିଲା। ଲୁଟ୍ କରୁଥିବା ଅଭିଯୁକ୍ତ ବ୍ୟାଙ୍କକୁ ସୁନା ଲୁଟି ସେହି ବ୍ୟାଙ୍କରେ ହିଁ ବନ୍ଧକ ରଖୁଥିଲେ । ଏଥିପାଇଁ ସେମାନେ ହରିହରପୁଥିରାନଙ୍କ ପରିବାର ଲୋକଙ୍କ ସାହାଯ୍ୟ ନେଉଥିଲେ । ଏଥିପାଇଁ ସେମାନେ ନକଲି କାଗଜପତ୍ର ପ୍ରସ୍ତୁତ କରୁଥିଲେ ।

ପୋଲିସ ଆଇଆଇସି ଏମ ଇଲାଭର୍ଶୁ କହିଛନ୍ତି ଯେ, ସେମାନେ ଏବେସୁଦ୍ଧା ୨୬୫ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ବାଳକୃଷ୍ଣନଙ୍କୁ ଗିରଫ କରିବା ପରେ ଅନ୍ୟ ଅଲଙ୍କାର ମଧ୍ୟ ଜବତ ହେବ । ତଦନ୍ତ ପରେ ଅଧିକ ସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.