ସଲମାନ ରୁଶଦିଙ୍କ ଉପରେ ଆକ୍ରମଣ: ଦୃଢ଼ ନିନ୍ଦା କଲେ ଲେଖିକା ତସଲୀମା ନସ୍ରୀନ; କହିଲେ, ସୁଯୋଗ ମିଳିଲେ ଏମାନେ ମୋତେ ହତ୍ୟା କରିଦେବେ

Published By : Prameya-News7 Bureau | August 12, 2022 IST

ଢାକା: ଆମେରିକାରେ ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବାଂଲାଦେଶୀ ଲେଖିକା ତସ୍ଲୀମା ନସ୍ରୀନ। ସେ ଏହି ଦୁର୍ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।

ସଲମାନ ରୁଶଦି ନ୍ୟୁୟର୍କରେ ଏକ ସଭାରେ ଉଦ୍‌ବୋଧନ ଦେବାକୁ ଯାଉଥିବା ବେଳେ ତାଙ୍କ ଉଫରେ ଛୁରା ମାଡ଼ ହୋଇଥିଲା। ଏହାକୁ ନିନ୍ଦା କରି ଟ୍ୱିଟ୍ କରି ତସଲୀମା। ସେ ଏହି ଘଟଣାରେ ହତବାକ ହୋଇଯାଇଛନ୍ତି। ଯଦି ରୁଶଦିଙ୍କୁ ଆକ୍ରମଣ କରାଯାଉଛି ତେବେ ଯେ କେହି ବି ଇସ୍ଲାମକୁ ସମାଲୋଚନା କରିବ ତାଙ୍କର ଉପରେ ବି ଆକ୍ରମଣ ହେବ ବୋଲି କହି ଚିନ୍ତା ପ୍ରକଟ କରିଛନ୍ତି ବାଂଲାଦେଶୀ ଲେଖିକା ତସଲୀମା ନସ୍ରୀନ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ ସୂଚନା ଦେଇ ତସଲୀମା କହିଛନ୍ତି " ମୋ ବିରୋଧରେ ବି ଫତୱା ଜାରୀ କରାଯାଇଥିଲା। ସେମାନେ ଯେ ଏକଥାକୁ ଭୁଲି ଯାାଇଥିବେ ସେକଥା ନୁହେଁ, ଏମାନେ ସୁଯୋଗ ପାଇଲେ ମୋତେ ବି ହତ୍ୟା କରିଦେବେ।"

୭୫ ବର୍ଷୀୟ ରୁଶଦି ଉଦବୋଧନ ଦେବାକୁ ମଞ୍ଚ ଉପରକୁ ଆସିବା ପରେ ଜଣେ ଉଦ୍‌ଭ୍ରାନ୍ତ ଯୁବକ ତାଙ୍କ ବେକରେ ଛୁରାମାଡ଼ କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ଏକ ହେଲିକପ୍ଟର ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ଅପ୍‌ଡେଟ୍ ସୂଚନା ମିଳିପାରି ନାହିଁ ବୋଲି ନ୍ୟୁୟର୍କ ପୁଲିସ ସୂଚନା ଦେଇଛି। ତେବେ ଆକ୍ରମଣକାରୀକୁ ଗରିଫ କରାଯାଇଛି ବୋଲି ପୁଲିସ କହିଛି।

ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରି ତସଲୀମା ଲେଖିଛନ୍ତି  “ ସଲମାନ ରୁଶିଦେଙ୍କୁ ନ୍ୟୁୟର୍କରେ ଆକ୍ରମଣ କରାଯାଇଥିବା କଥା ମୁଁ ଏବେ ଜାଣିଲି। ମୁଁ ସତରେ ଖୁବ୍ ଆଶ୍ଚର୍ଯ୍ୟ। ମୁଁ କେବେ ବି ଭାବିନଥିଲେ ଯେ ଏଭଳି ଘଟିବ। ସେ ପଶ୍ଚିମ ଭାଗରେ ରହୁଛନ୍ତି। ୧୯୮୯ରୁ ତାଙ୍କୁ ସୁରକ୍ଷା ଦିଆଯାଉଛି। ଏସବୁ ସତ୍ତ୍ୱେ ବି ଯଦି ତାଙ୍କ ଉପରେ ଆକ୍ରମଣ କରାଯାଉଛି ତେବେ ଯିଏ ବି ଇସ୍ଲାମକୁ ସମାଲୋଚନା କରିବ ତାଙ୍କ ଉପରେ ବି ଆକ୍ରମଣ ହୋଇପାରେ। ମୋତେ ଚିନ୍ତା ଲାଗୁଛି।”

ବାଂଲାଦେଶୀ ଲେଖିକା ତସଲୀମା ନସ୍ରୀନଙ୍କର କେବଳ ବାଂଲାଦେଶରେ ନୁହେଁ ଭାରତରେ ବି ଖୁବ୍ ଲୋକପ୍ରିୟତା ରହିଛି। ସେ ଜଣେ ଲେଖିକା ଭାବରେ ଖୁବ୍‌ ରୋକ୍‌ଠୋକ୍ ତାଙ୍କ କଥା ରଖନ୍ତି। ସେ ଅନେକ ଥର ଇସ୍ଲାମର ଚରମପନ୍ଥୀ ଚିନ୍ତାଧାରାକୁ ବିରୋଧ କରି ମନ୍ତବ୍ୟ ଦେଇଛନ୍ତି। ରଶିଦଙ୍କୁ ଯଦି ଆକ୍ରମଣ କରାଯାଇପାରୁଛି ତେବେ ତାଙ୍କ ଉପରେ ବି ବିପଦ ରହିଛି ବୋଲି ପରୋକ୍ଷରେ ଚିନ୍ତା ବ୍ୟକ୍ତ କରିଛନ୍ତି ତସଲୀମା ନସ୍ରୀନ।

ସମାଲନ ରୁଶଦିଙ୍କ ସମ୍ପର୍କରେ...

ସୂଚନା ଥାଉକି ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ସଲମାନ ରୁଶିଦେ ଜଣେ ପ୍ରଖ୍ୟାତ ଔପନ୍ୟାସିକ ଭାବରେ ସାରା ବିଶ୍ୱରେ ଖୁବ୍ ଜଣାଶୁଣା। ୧୯୮୧ ମସିହାରେ ତାଙ୍କର ଉପନ୍ୟାସ ‘ମିଡ୍‌ନାଇଟ୍ସ ଚିଲ୍‌ଡ୍ରେନ୍’ ବୁକର ପ୍ରାଇଜ୍ ଜିତିଥିଲା। ହେଲେ ତାଙ୍କ ପୁସ୍ତକ ‘ସାଟାନିକ ଭର୍ସେସ’ ଆସିବା ପରେ ସାରା ବିଶ୍ୱ ତାଙ୍କୁ ଜାଣିଥିଲା। ୧୯୮୮ରେ ଏହି ପୁସ୍ତକକୁ ଇସ୍ଲାମ ବିରୋଧୀ ବୋଲି ଭାବି ଇରାନ୍‌ ସରକାର ବ୍ୟାନ୍ କରିଦେଇଥିଲେ। ଇରାନ ନେତା ଅୟତୋଲ୍ଲାହ ରୁହୋଲ୍ଲା ଖୋମେଇନି ଏଖ ଫତୱା ଜାରି କରି ରୁଶଦିଙ୍କର ହତ୍ୟା କରିବାକୁ ଆହ୍ୱାନ ଦେଇଥିଲେ।

ଏହାପରଠାରୁ ରୁଶଦି ଆମେରିକାର ଦୀର୍ଘ ୨୦ ବର୍ଷ ହେଲା ସରକାରୀ ସୁରକ୍ଷା ସହ ରହୁଥିଲେ। ସେ ଅଧିକ ଲୋକ ଲୋଚନକୁ ନ ଆସି ବି ଉପନ୍ୟାସ ଲେଖିବା ଜାରି ରଖିଥିଲେ। ୨୦୦୭ରେ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଯୋଗୁ ତାଙ୍କୁ ମହାରାଣୀ ଏଲିଜାବେଥ ଦ୍ୱିତୀୟ 'ସାର୍' ଉପାଧି ପ୍ରଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.