Asia Cup: ଗିଲ୍ଙ୍କ ଶତକ ବୃଥା, ସୁପର-୪ର ଶେଷ ମ୍ୟାଚ୍ରେ ଭାରତକୁ ହରାଇଲା ବାଂଲାଦେଶ
15/09/2023 at 11:17 PM

କଲୋମ୍ବୋ: ବୃଥା ହେଲା ଶୁଭମନ ଗିଲ୍ଙ୍କ ଶତକ। ଏସିଆ କପ୍ ୨୦୨୩ ସୁପର-୪ର ସଂଘର୍ଷପୂର୍ଣ୍ଣ ଶେଷ ମ୍ୟାଚ୍ରେ ଭାରତକୁ ହରାଇ ସମ୍ମାନଜନକ ବିଜୟ ହାସଲ କରିଛି ବାଂଲାଦେଶ। ରୋମାଞ୍ଚକର ମ୍ୟାଚ୍ରେ ବାଂଲାଦେଶ ଫାଇନାଲ୍ରେ ପହଞ୍ଚି ସାରିଥିବା ଭାରତକୁ ୬ ରନରେ ପରାସ୍ତ କରିଛି। ଏଥିସହ ଏସିଆ କପ୍ରେ ପରାଜୟର ସ୍ଵାଦ ଚାଖିଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୮ ଓ୍ଵିକେଟ୍ ହରାଇ ୨୬୫ ରନର ଲଢୁଆ ସ୍କୋର କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶାକିବ ଉଲ ହସନ ୮୦ ରନର ଇନିଂସ ଖେଳିଥିବା ବେଳେ ଟୋହିଡ ହୃଦୟ ୫୪ ରନ ଏବଂ ନସୁମ ଅହମ୍ମଦ ୪୪ ରନ କରିଥିଲେ। ଜବାବରେ ବ୍ୟାଟରଙ୍କ ବିଫଳତା ଯୋଗୁଁ ଭାରତ ୪୯.୫ ଓଭରରେ ୨୫୯ ରନରେ ଅଲଆଉଟ୍ ହୋଇଛି। ଶୁଭମନ ଗିଲ୍ ୧୨୧ ରନ ଓ ଅକ୍ଷର ପଟେଲଙ୍କ ୪୨ ରନ ମଧ୍ୟ ଭାରତକୁ ପରାଜୟରୁ ରକ୍ଷା କରି ପାରିନାହିଁ। ବାଂଲାଦେଶ ବୋଲର ଚମତ୍କାର ବୋଲିଂ କରି ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ମୁକାବିଲା ଖେଳାଯିବ।
୨୬୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଆରମ୍ଭରୁ ବଡ଼ ଝଟକା ଲାଗିଥିଲା। ଫର୍ମରେ ଥିବା ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଆଜିର ମ୍ୟାଚ୍ରେ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ ତିଳକ ବର୍ମା(୫)। ଏହାପରେ ଗିଲ୍ ଓ କେଏଲ ରାହୁଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ରେ ୫୭ ରନ ଯୋଡ଼ିଥିଲେ। କ୍ରିଜରେ ଜମି ଆସୁଥିବା ବେଳେ କେଏଲ ରାହୁଲ(୧୯) ପାଭିଲିୟନ ଫେରିଥିଲେ। ଗୋଟିଏ ପଟେ ଗିଲ୍ କ୍ରିଜର ଅନ୍ୟ ପାର୍ଶ୍ଵରେ ଦଳର ଇନିଂସ ସମ୍ଭାଳି ଥିବା ବେଳେ ଅନ୍ୟପଟେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଇଶାନ କିଷାନ(୫)ଙ୍କ ପରେ ସୂର୍ଯ୍ୟକୁମାର ଯାଦବ ଦିନିକିଆରେ ନିଜର ଖରାପ ଫର୍ମ ବଜାୟରଖି ୨୬ ରନ କରି ଆଉଟ୍ ହୋଇଥିଲେ। ଏହି କ୍ରମରେ ଗିଲ୍ ଚମତ୍କାର ବ୍ୟାଟିଂ କରି ନିଜର ପଞ୍ଚମ ଦିନିକିଆ ଶତକ ପୂରଣ କରିଥିଲେ। ରବୀନ୍ଦ୍ର ଜାଡ଼େଜା(୭) ମଧ୍ୟ ପାଭିଲିୟନ ଫେରିଥିଲେ। ଶତକ ହାସଲ କରିଥିବା ଗିଲ୍ ୧୨୧ ରନ କରି ଆଉଟ୍ ହୋଇଥିଲେ। ଗିଲ୍ଙ୍କ ଆଉଟ୍ ପରେ ଭାରତ ପରାଜୟ ଆଶଙ୍କାରେ ପଡ଼ିଥିଲା। ଶେଷ ଆଡ଼କୁ ଅକ୍ଷର ପଟେଲ୍ ଲଢୁଆ ବ୍ୟାଟିଂ କରିବାରୁ ଭାରତର ବିଜୟ ଆଶା ଉଜ୍ଜୀବିତ ରହିଥିଲା। ଶାର୍ଦ୍ଦୁଳ ଠାକୁର ୧୧ ରନ କରି ଆଉଟ୍ ହୋଇଥିଲେ। ଭାରତର ଶେଷ ଆଶା ଥିବା ଅକ୍ଷର ପଟେଲ୍ ୪୨ ରନ କରି ଆଉଟ୍ ହୋଇଥିଲେ। ଶେଷରେ ଭାରତ ୪୯.୫ ଓଭରରେ ୨୫୯ ରନରେ ଅଲଆଉଟ୍ ହୋଇଥିଲା।
ବାଂଲାଦେଶ ଇନିଂସ
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ୧୫ ରନରେ ଦୁଇ ଓପନିଂ ବ୍ୟାଟର ଲିଟନ ଦାସ(୦) ଓ ତଞ୍ଜିଦ ହସନ(୧୩)ଙ୍କ ଓ୍ଵିକେଟ୍ ହରାଇଥିଲା। ପୁଣି ଅନମୁଲ ହକ(୪) ପାଭିଲିୟନ ଫେରିଥିଲେ। ଅଧିନାୟକ ଶାକିବ ଉଲ ହସନ କ୍ରିଜରେ ଜମି ରହି ଦଳର ଇନିଂସ ସମ୍ଭାଳିଥିଲେ। ୫୯ ରନରେ ୪ ଓ୍ଵିକେଟ୍ ହରାଇ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମେହିଦି ହାସନ ମିର୍ଜା ୧୩ ରନ କରି ପାଭିଲିୟନ ଫେରିଥିଲେ।
ଏହା ପରେ ଶାକିବ ଓ ଟୋହିଡ ହ୍ରିଡୟ ସତର୍କତାର ସହ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ରେ ଶତକୀୟ ଭାଗିଦାରୀ ଯୋଡ଼ି ଦଳର ସ୍କୋରକୁ ୧୬୦ରେ ପହଞ୍ଚାଇଥିଲେ। ଶାକିବଙ୍କୁ ଆଉଟ୍ କରି ଶାର୍ଦ୍ଦୁଳ ଠାକୁର ଭାରତକୁ ବଡ଼ ସଫଳତା ଦେଇଥିଲେ। ବାଂଲାଦେଶ ଅଧିନାୟକ ୮୫ ବଲ୍ରୁ ୬ ଚୌକା ଓ ୩ ଛକା ସହ ୮୦ ରନର ଇନିଂସ ଖେଳିଥିଲେ। ହ୍ରିଡୟ ୫୪ ରନର ଭଲ ବ୍ୟାଟିଂ କରିଥିଲେ। ଶେଷ ଆଡ଼କୁ ନସୁମ ଅହମ୍ମଦ ୪୪ ରନର ଉପଯୋଗୀ ଇନିଂସ ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ମେହେଦି ହାସନ ଅପରଜିତ ୨୯ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୬୫ ରନ କରିଛି।
ଭାରତ ପାଇଁ ବେଲିଂରେ ଶାର୍ଦ୍ଦୁଳ ଠାକୁର ୬୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ଶାମି ୩୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣ ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।