ନୂଆଦିଲ୍ଲୀ ୩/୧୦: ଭାରତ ଗସ୍ତରେ ଆସୁଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ଚାରି ଦିନିଆ ଗସ୍ତରେ ଆଜି ଓ ଆସନ୍ତାକାଲି ହେବାକୁ ଥିବା ଭାରତ ଆର୍ଥିକ ଶିଖର ସମ୍ମିଳନୀରେ ସେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଶେଖ ହସିନା ।
ଉଭୟ ନେତା ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବା ଉପରେ ବିଚାର ବିମର୍ଶ କରିବେ । ଏହି ବୈଠକରେ ରୋହିଙ୍ଗ୍ୟା ଶରଣାର୍ଥୀ ଓ ତିସ୍ତା ନଦୀ ଜଳ ବିବାଦ ପ୍ରସଙ୍ଗ ହସିନା ଉଠାଇବେ ବୋଲି ସୂଚନା ମିଳିଛି । ଏହାଛଡା ଭିଡିଓ କନଫରେନ୍ସିଂ ଜରିଆରେ ଦୁଇ ନେତା ତିନିଟି ଦ୍ୱିପାକ୍ଷିକ ପ୍ରକଳ୍ପର ଉଦଘାଟନ ମଧ୍ୟ କରିବେ । ଆଜିଠାରୁ ଆରମ୍ଭ ହେବାକୁ ଥିବା ଭାରତ ଆର୍ଥିକ ଶିଖର ସମ୍ମିଳନୀରେ ଭାରତ ସମେତ ୪୦ ଦେଶର ନୀତି ନିର୍ମାତା, ବଡ ବଡ କମ୍ପାନିର ମାଲିକଙ୍କ ସହ ବିଶେଷଜ୍ଞ ମାନେ ସାମିଲ ହେବେ ।