ମେହଦିଙ୍କ ଆଗରେ ନତମସ୍ତକ ଭାରତୀୟ ବୋଲର, ବିପର୍ଯ୍ୟୟ ପରେ ବି ୨୭୧ ରନରେ ପହଞ୍ଚିଲା ବାଂଲାଦେଶ

Published By : Prameya-News7 Bureau | December 07, 2022 IST

ଢାକା: ୬୯ ରନରେ ୬ ଓ୍ଵିକେଟ୍ ହରାଇ ବଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଲାଗୁଥିଲା ଦଳ ଶୀଘ୍ର ଅଲଆଉଟ୍ ହୋଇଯିବ ଏବଂ ସର୍ବାଧିକ ୧୫୦ ରନ ଭିତରେ ସୀମିତ ରହିବ। ହେଲେ ପ୍ରଥମ ଦିନିକିଆର ପୁନରାବୃତ୍ତି ପୁଣି ଥରେ ଦ୍ଵିତୀୟ ଦିନିକିଆରେ ଦେଖିବାକୁ ମିଳିଛି। ଗତ ମ୍ୟାଚ୍‌ର ହିରୋ ମେହଦି ହାସନ ମିର୍ଜାଙ୍କ ଆଗରେ ପୁଣି ଥରେ ନତମସ୍ତକ ହୋଇଛନ୍ତି ଭାରତୀୟ ବୋଲର। ମହମ୍ମଦୁଲ୍ଲା ମଧ୍ୟ ଚତ୍ମକାର ବ୍ୟାଟିଂ କରିଛନ୍ତି। ମେହଦି ହାସନଙ୍କ ଦମଦାର ଅପରାଜିତ ୧୦୦ ରନ ବଳରେ ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍  ହରାଇ ୨୭୧ ରନର ଲଢୁଆ ସ୍କୋର କରି ପାରିଛି। ମହମୁଦଲ୍ଲା ୭୨ ରନର ଗୁରୁତ୍ଵପୁର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଭାରତକୁ ୨୭୨ ରନ କରିବାକୁ ପଡିବ।  ଭାରତ ପକ୍ଷରୁ ଓ୍ଵାଶିଂଟନ ସୁନ୍ଦର ସର୍ବାଧିକ ୩ଟି ସଫଳତା ପାଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଟପ୍ ଅର୍ଡର ବ୍ୟାଟସମ୍ୟାନ ଭାରତୀୟ  ବୋଲରଙ୍କ ମୁକାବିଲା କରିପାରିନଥିଲେ। ନିୟମିତ ବ୍ୟବଧାନର ଓ୍ଵିକେଟ୍ ହରାଇ ଦଳ ୬୯ ରନରେ ୬ ଓ୍ଵିକେଟ୍ ହରାଇଥିଲା। ଏହି ସମୟରେ ଅନମୁଲ ହକ(୧୧ ରନ), ଲିଟନ ଦାସ(୭), ନଜମୁଲ ହୁସେନ ସାଣ୍ଟୋ(୨୧), ସାକିବ ଅଲ ହାସନ(୮ ରନ), ମୁସଫିକର ରହିମ(୧୨) ଏବଂ ଅଫିଫ ହୁସେନ(୦) ପାଭିଲିୟନ ଫେରିଥିଲେ। ଲାଗୁଥିଲା ବାଂଲାଦେଶ ଦଳ ତିନି ଅଙ୍କର ସ୍କୋର ଛୁଇଁ ପାରିବନି।

ତେବେ ମହମ୍ମୁଦଲ୍ଲା ଏବଂ ଗତ ମ୍ୟାଚ୍‌ର ହିରୋ ମେହଦି ହାସନ ମିର୍ଜା ଦୃଢତାର ସହ ବ୍ୟାଟିଂ କରିଥିଲେ। ଉଭୟ ବ୍ୟାଟର ଧୈର୍ଯ୍ୟର ସହ କ୍ରିଜରେ ଜମି ରହି ଭାରତୀୟ ବୋଲରଙ୍କ ମୁକାବିଲା କରିବା ସହ ଦଳକୁ ବ୍ୟାଟିଂ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ଏହି କ୍ରମରେ ମହମ୍ମଦୁଲ୍ଲା ଏବଂ  ହାସନ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ମହମୁଦଲ୍ଲାଙ୍କୁ ଆଉଟ୍ କରି ଉମରାନ ମଲିକ ଏହି ଯୋଡିକୁ ଭାଙ୍ଗିଥିଲେ। ଏହା ପୂର୍ବରୁ ଦୁଇ ବ୍ୟାଟର ସପ୍ତମ ଓ୍ଵିକେଟରେ ୧୪୮ ରନ ଯୋଡି ଦଳର ସ୍କୋରକୁ ୨୧୭ ରନରେ ପହଞ୍ଚାଇଥିଲେ। ମହମୁଦଲ୍ଲା ୯୬ ବଲ୍‌ରୁ ୭ ଚୌକା ସହ ୭୭ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ମେହଦି ହାସନ ନିଜର ଫର୍ମ ବଜାୟ ରଖି ଦ୍ରୁତ ବ୍ୟାଟିଂ କରିଥିଲେ। ସେ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଚତ୍ମକାର ଶତକ ଅର୍ଜନ କରିଛନ୍ତି। ସେ ୮୩ ବଲ୍‌ରୁ ୮ ଚୌକା ଏବଂ ୪ ଛକା ସହ ଅପରାଜିତ ୧୦୦ ରନ କରି ଅପରାଜିତ ରହିଛନ୍ତି। ତାଙ୍କର ଏହି ଶତକ ଦମରେ ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୭୧ ରନ କରିଛି।  

ଭାରତ ପକ୍ଷରୁ ଓ୍ଵାଶିଂଟନ ସୁନ୍ଦର ଭଲ ବୋଲିଂ କରି ୩୭ ରନରେ ସର୍ବାଧିକ ୩ ସଫଳତା ପାଇଛନ୍ତି। ଉମରାନ ମଲିକ ୫୮ ରନ ଦେଇ ୨ ଏବଂ ମହମ୍ମଦ ସିରାଜ ୭୩ ରନ ମହଙ୍ଗା ସାବ୍ୟସ୍ତ ହୋଇ ୨ଟି ଓ୍ଵିକେଟ୍ ନେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.