ବାଙ୍ଗଲାଦେଶରେ ଜାରି ରହିଛି ଡେଙ୍ଗୁ ପ୍ରକୋପ, ଗଲାଣି ୧ ହଜାରରୁ ଅଧିକ ଜୀବନ

Published By : Prameya-News7 Bureau | October 02, 2023 IST

ନୂଆଦିଲ୍ଲୀ: ଡେଙ୍ଗୁରେ ଅସ୍ତବ୍ୟସ୍ତ ହେଇପଡ଼ିଛି ବାଙ୍ଗଲାଦେଶ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ପ୍ରାୟ ୧୦୦୦ରୁ ଅଧିକ ବାଙ୍ଗଲାଦେଶୀ ନାଗରିକ। ବର୍ତ୍ତମାନ ଡେଙ୍ଗୁ ଏଠାରେ ବିସ୍ଫୋରଣରେ ପରିଣତ ହୋଇଛି। କୁହାଯାଉଛି, ଜଳବାୟୁରେ ପରିବର୍ତ୍ତନ ସହ ଏହା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।

ବାଙ୍ଗଲାଦେଶର ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ତରଫରୁ ରବିବାର ଜାରି ତଥ୍ୟ ଅନୁଯାୟୀ, ଡେଙ୍ଗୁରେ ଏପର୍ଯ୍ୟନ୍ତ ୧,୦୦୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୨ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏଜେନ୍ସୀର ପୂର୍ବ ନିର୍ଦ୍ଦେଶକ ବେ-ନାଜିର କହିଛନ୍ତି ୨୦୦୦ ମସିହା ପରଠାରୁ ହୋଇଥିବା ଡେଙ୍ଗୁ ମୃତ୍ୟୁ ତୁଳନାରେ ଚଳିତ ବର୍ଷର ଡେଙ୍ଗୁ ମୃତ୍ୟୁ ଢେର ଅଧିକ । ଗତ ବର୍ଷ ଅର୍ଥାତ୍‌ ୨୦୨୨ରେ ୨୮୧ ଜଣକର ଡେଙ୍ଗୁରେ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ୧୧୨ ଜଣ ଶିଶୁ ରହିଥିଲେ। ଯେଉଁଥିରେ ୧୫ ବର୍ଷରୁ କମ୍‌ ଏବଂ ନବଜାତ ଶିଶୁ ରହିଥିଲେ।

ଆହୁରି ପଢ଼ନ୍ତୁ: ମଝି ଆକାଶରେ ବିମାନରେ ବିସ୍ଫୋରଣ, ଭାରତୀୟ ଅରବପତିଙ୍କ ସମେତ ୬ ମୃତ

ଜାହାଙ୍ଗୀର ୟୁନିଭର୍ସିଟି ଢାକାର ଜୁଲୋଜୀ ପ୍ରଫେସର ଚଳିତ ବର୍ଷର ଡେଙ୍ଗୁ ବିସ୍ଫୋରଣକୁ ନେଇ କାବିରୁଲ ବଶର କହିଛନ୍ତି, ‘‘ଚଳିତ ଥରର ବାର୍ଷିକ ମୌସୁମୀ ସମୟରେ ଅନିୟମିତ ବର୍ଷା ଏବଂ ଉତ୍ତପ୍ତ ପାଣିପାଗ ଡେଙ୍ଗୁରୋଗ ବାହକ ଏଡିସ୍‌ ମଶାଙ୍କ ପାଇଁ ସୁହାଇଥିଲା। ଫଳରେ ଏହି ରୋଗ ଅତ୍ୟଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ତେବେ କେବଳ ବାଙ୍ଗଲାଦେଶ ନୁହେଁ ଅନେକ ଟ୍ରପିକାଲ ଏବଂ ସବ୍‌-ଟ୍ରପିକାଲ ଦେଶରେ ମଧ୍ୟ ଡେଙ୍ଗୁର ପ୍ରଭାବ ଦେଖିବାକୁ ମିଳିଛି।’’

ଏହି ରୋଗ ଯେଉଁ ଭାଇରସ କାରଣରୁ ହେଉଛି ତାହା ବର୍ତ୍ତମାନ ବାଙ୍ଗଲାଦେଶ ପାଇଁ ଏକ ସ୍ଥାନୀୟ ରୋଗ ପାଲଟିଛି। କାରଣ ପ୍ରାୟ ଏକ ଦଶନ୍ଧିରୁ ଏହାର ପ୍ରକୋପ ବଢ଼ିବାରେ ଲାଗିଛି। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏହି ରୋଗର ଅତ୍ୟଧିକ ଆକ୍ରାନ୍ତ ହେଉଛନ୍ତି । ଏମିତିକି ଶୀତ ଦିନରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଢାକା ସହିଦ ସୁହରାଓ୍ବାର୍ଡି ମେଡିକାଲ କଲେଜର ଜଣେ ଡାକ୍ତର କହିଛନ୍ତି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ଥର ଆକ୍ରାନ୍ତ ହୋଇଥିବା ରୋଗୀ। ଡାକ୍ତର କହିଛନ୍ତି ଏମାନଙ୍କଠାରେ ବିପଦ ଆଶଙ୍କା ଅଧିକ।

ଆହୁରି ପଢ଼ନ୍ତୁ: ୮ ମାସ ପାଣିରେ ବୁଡି ରହିଥାଏ ମନ୍ଦିର, କିନ୍ତୁ ମନ୍ଦିରର ହୋଇନଥାଏ କୌଣସି କ୍ଷତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.