ନୂଆଦିଲ୍ଲୀ: ଶେଖ୍ ହସିନାଙ୍କ ସରକାରର ପତ୍ତନ ପରେ ଭାରତ ସହିତ ବାଂଲାଦେଶର ସମ୍ପର୍କ ଧୀରେ ଧୀରେ ଖରାପ ହେବାରେ ଲାଗିଛି। ଶେଖ୍ ହସିନାଙ୍କ ଭାରତରେ ଶରଣ ନେ ବା, ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହିଂସା ଆଦି ଘଟଣା ଦୁଇ ଦେଶର ସମ୍ପର୍କକୁ ଆହୁରି ଖରାପ କରୁଛି। ଆଉ ଏବେ ଇଲିସି ମାଛକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ବାଂଲାଦେଶ ଭାରତକୁ ଇଲିସି ମାଛ ଦେବ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଛି। ତେଣୁ ଏଥର ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଧୁମଧାମରେ ତେ ହେବ। ହେଲେ ପଦ୍ମା ନଦୀର ଇଲିସି ମାଛର ସ୍ୱାଦ ଚାଖିବାକୁ ମିଳିବନି।
ଭାରତର ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଳନ ପରେ ଇଲିସି ମାଛର ଚାହିଦା ଖୁବ୍ ବଢ଼ିଯାଇଥାଏ। ପୂଜା ସାରିବା ପରେ ବଙ୍ଗାଳୀମାନେ ଇଲିସି ମାଛର ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟର ମଜା ନିଅନ୍ତି। ଦୁର୍ଗାପୂଜା ପଶ୍ଚିମବଙ୍ଗର ସବୁଠାରୁ ବଡ଼ ପୂଜା। ସେହିପରି ବାଂଲାଦେଶ ଇଲିସି ମାଛର ସବୁଠାରୁ ବଡ଼ ଉତ୍ପାଦକ ରାଷ୍ଟ୍ର। ହେଲେ ଲାଗୁଛି ପଶ୍ଚିମବଙ୍ଗବାସୀଙ୍କୁ ଏଥର ଇଲିସିର ମଜା ଆଉ ମିଳିବନି। କାରଣ ବାଂଲାଦେଶ ଭାରତକୁ ଇଲିସି ରପ୍ତାନୀରେ ବ୍ୟାନ୍ ଲଗାଇଛି।
ବାଂଲାଦେଶର ମତ୍ସ୍ୟପାଳନ ମନ୍ତ୍ରଣାଳୟ ପରାମର୍ଶଦାତା ପରିଦା ଅକ୍ତର କହିଛନ୍ତି, ନୂଆ ସରକାର ଚାହୁଁଛନ୍ତି ଇଲିସି ମାଛ ପ୍ରଥମେ ସ୍ଥାନୀୟ ଲୋକଙ୍କୁ ଦିଆଯାଉ। ପ୍ରତିବନ୍ଧକ ସତ୍ତ୍ୱେ ବି ଭାରତକୁ ବହୁତସାରା ମାଛ ରପ୍ତାନୀ ହେଉଛି। ହେଲେ ଏବେ ଆଉ ରପ୍ତାନୀକୁ ଅନୁମତି ଦିଆଯିବନି। ରପ୍ତାନୀ ବ୍ୟାନ୍ କରିବାକୁ ସେ ବାଣିଜ୍ୟମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।
ଇଲିସି ମାଛ ବାଂଲାଦେଶର ଜାତୀୟ ମାଛର ମାନ୍ୟତା ପାଇଛି। ହେଲେ ଏହାର ଦାମ ଅଧିକ ହୋଇଥିବା ଯୋଗୁ ଇଲିସି ମାଛ ଖାଇବା ସମସ୍ତଙ୍କ ଭାଗ୍ୟରେ ନଥାଏ। ବାଂଲାଦେଶ ଟଙ୍କା ଅନୁସାରେ ଇଲିସି କେଜି ୧୫୦୦ ଟାକାରେ ବିକ୍ରି ହୋଇଥାଏ। ଯାହାର ଭାରତୀୟ ମୂଲ୍ୟ ୧୦୦୦ ଟଙ୍କାରୁ ଅଧିକ ହେବ। ରପ୍ତାନୀ ବନ୍ଦ ହେଲେ ବାଂଲାଦେଶର ଇଲିସ ରେଟ୍ କମିବ ଓ ସେଠାକାର ଗରିବ ଲୋକେ ବି ମାଛ ଖାଇପାରିବେ। କ୍ଷମା କରନ୍ତୁ ଆମେ ଭାରତକୁ ଇଲିସି ଦେଇପାରିବୁ ନାହିଁ ବୋଲି ଫରିଦା ଏକ ଜାତୀୟ ଗଣମାଧ୍ୟମରେ କହିଛନ୍ତି।
ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ବାଂଲାଦେଶରେ ଏଭଳି ନିଷ୍ପତ୍ତି ପଶ୍ଚିମବଙ୍ଗ ମାଛ ଆମଦାନୀ ସଂଘ ଚିନ୍ତାରେ ପକାଇଛି। ପଦ୍ମା ଇଲିସି ରପ୍ତାନୀ କରିବାକୁ କୋଲକାତା ମାଛ ଆମଦାନୀ ସଂଘ ଅଗଷ୍ଟ ୯ ତାରିଖରେ ବାଂଲାଦେଶ ସରକାରଙ୍କ ପରାମର୍ଶଦାତା ତୋହିଦ ହୁସେନ୍ଙ୍କୁ ଚିଠି ଲେଖିଥିଲା। ୨୦୧୯ରୁ ଶେଖ ହସିନାଙ୍କ ସରକାର ଦୂର୍ଗାପୂଜାର ମାସକ ପୂର୍ବରୁ ଭାରତକୁ ୧୦୦୦ ଟନ୍ ଇଲିସି ରପ୍ତାନୀ କରୁଥିଲେ। ତେଣୁ ସେହି ଦୃଷ୍ଟିରୁ ପୂର୍ବପରି ରପ୍ତାନୀ ଜାରି ରଖିବାକୁ ସଂଘ ଅନୁରୋଧ କରିଥିଲା। ହେଲେ ଫରିଦା ଏହି ଅନୁରୋଧକୁ ପ୍ରତ୍ୟାକ୍ଷାନ କରିଦେଇଛନ୍ତି।
ସେପଟେ ଆସନ୍ତା ମାସରେ ପ୍ରଜନନ ପାଇଁ ମାଛମରା ଉପରେ ୨୨ ଦିନର ବ୍ୟାନ ଲାଗିବ। ଆଉ ଏପଟେ ବାଂଲାଦେଶ ବ୍ୟାନ୍ ଫଳରେ ଇଲିସି ସହିତ ଅନ୍ୟମାଛର ବି ଅଭାବ ଦେଖା ଦେବ ବୋଲି କୋଲକାତା ମାଛ ଆମଦାନୀ ସଂଘର ସେକ୍ରେଟେରୀ ସୟଦ ଅନୱର ମକସୁଦ କହିଛନ୍ତି।
ମକସୁଦ ଆହୁରି କହିଛନ୍ତି ଯେ ପୂର୍ବରୁ ଆମେ ବାଂଲାଦେଶରୁ ବର୍ଷକୁ ୫ ହଜାର ଟନ୍ ଇଲିସି ମାଛ ଆମଦାନୀ କରୁଥିଲୁ। ହେଲେ ୨୦୧୨ରେ ବାଂଲାଦେଶ ସରକାର ଏହାକୁ ବ୍ୟାନ୍ କରିଦେଲେ। ପରେ ୨୦୧୯ରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ରଖିବାକୁ ଶେଖ ହସିନା ସରକାର ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ୧୦୦୦ ଟନ୍ ଇଲିସି ଭାରତକୁ ରପ୍ତାନୀ କରୁଥିଲେ। ଗତ ୩ ବର୍ଷରେ ଭାରତ ବାଂଲାଦେଶ ଠାରୁ ଦୁର୍ଗାପୂଜା ସମୟରେ ୨୦୨୧-୨୨ରେ ୧୩୦୦ ଟନ୍ ଓ ୨୦୨୦ରେ ୧୨୦୦ ଟନ୍ ଇଲିସି ମାଛ ଆମଦାନୀ କରିଥିଲା। ହେଲେ ଏବେ ବ୍ୟାନ୍ ଲାଗିବ ଚିନ୍ତାର କାରଣ ପାଲଟିଛି।
ତିସ୍ତା ଜଳ ବିବାଦ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ପୁରୁଣା ବିବାଦ ଲାଗି ରହିଛି। ଯେବେ ଯେବେ ଏହି ବିବାଦ ଅଧିକ ମୁଣ୍ଡ ଟେକେ ସେତେବେଳେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସେ। ଆଉ ଏହି ସମ୍ପର୍କକୁ ସୁଧାରିବାକୁ ଶେଖ୍ ହସିନା ଅନେକ ସମୟରେ ଭରତୀୟ ନେତାଙ୍କୁ ଇଲିସି ଊପହାର ଦେଇଥିବା ଦେଖିବାକୁ ମିଳିଛି।
ଜଳ ବିବାଦର ସମାଧାନ ଆଶାରେ ୨୦୧୭ ସେପ୍ଟେମ୍ବର ୩୦ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ୩୦ କେଜି ଇଲିସି ପଠାଇବା ହେଉ କିମ୍ବା ଅନେକ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଲିସି ଭେଟି ଦେବା ହେଉ। ଶେଖ୍ ହସିନା ଇଲିସି ଡିପ୍ଲୋମାସୀରେ କେତେକାଂସରେ ସଫଳ ବି ହୋଇଛନ୍ତି।
ହେଲେ ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ବାଂଲାଦେଶର ଛାତ୍ର ଆନ୍ଦୋଳନ ଯୋଗୁ ଶେଖ ହସିନା ସରକାରଙ୍କ ପତ୍ତନ ଘଟିଛି, ଓ ସେ ନିଜେ ଭାରତରେ ଶରଣ ନେଇଛନ୍ତି। ତାଙ୍କର ଭାରତରେ ଶରଣ ନେବା ଯୋଗୁ ବାଂଲାଦେଶର ଅନ୍ତରୀଣ ସରକାର ପାଇଁ ଭାରତ ସହିତ ସୁସମ୍ପର୍କ ପ୍ରତିଷ୍ଠା କରିବାରେ ସମସ୍ୟା ସୃଷ୍ଟି ହେଉଛି। ତେବେ ଶେଖ ହସିନାଙ୍କ ସରକାର ଭଳି କ’ଣ ନୂଆ ଅନ୍ତରୀଣ ସରକାର ସମ୍ପର୍କର ସୁଧାର ଆଣିବା ପାଇଁ ଇଲିସ ମାଛ ଭାରତକୁ ପଠାଇପାରିବ?
ଏହି ପ୍ରଶ୍ନର ଉତ୍ତର ଦେଇ ଫରିଦା ଅକ୍ତର କହିଛନ୍ତି ଭାରତ ଆମର ବନ୍ଧୁ। ଆମେ ଅନ୍ୟ ଉପାୟରେ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରିବୁ। ହେଲେ ନିଜ ଦେଶର ଲୋକଙ୍କ ହିତରେ ନଥିବା କୌଣସି କାମ କରିବା ଉଚିତ ନୁହେଁ।
ବାଂଲାଦେଶରେ ଇଲିସିର ଭୂମିକା ଦେଖିଲେ ଏହି ମାଛ ବଙ୍ଗୋପସାଗର ଓ ନଦୀରେ ମିଳିଥାଏ। ବିଶ୍ୱରେ ୭୯ ପ୍ରତିଶତ ଇଲିସି ବାଂଲାଦେଶରେ ଉତ୍ପାଦନ ହୋଇଥାଏ। ଯାହା ବାଂଲାଦେଶର ମୋଟ ମାଛ ଉତ୍ପାନନର ୧୨ ପ୍ରତିଶତ। ଦେଶର ଜିଡିପିରେ ଇଲିସି ୧ ପ୍ରତିଶତ ଯୋଗଦାନ ରହିଛି। ମତ୍ସ୍ୟଜୀବୀ ପ୍ରତିବର୍ଷ ୬ ଲକ୍ଷ ଟନ ମାଛ ଧରନ୍ତି। ଅଧିକାଂଶ ସମୁଦ୍ରରୁ ମରାଯାଇଥାଏ। ୨୦୧୭ରେ ଇଲିସିକୁ ବାଂଲାଦେଶରେ ଜିଆଇ ଟ୍ୟାଗ୍ ମିଳିଥିଲା।
ତିସ୍ତା ନଦୀ ଜଳ ଭାଗବଣ୍ଟା ବିବାଦ ନେଇ ବାଂଲାଦେଶ ୨୦୧୨ରେ ଭାରତକୁ ଇଲିସି ମାଛ ରପ୍ତାନୀ ବ୍ୟାନ୍ କରିଥିଲା। ଏହି ବ୍ୟାନ୍ ୨୦୨୨ ପର୍ଯ୍ୟନ୍ତ ରହିଥିଲା। ଏହାପରେ ବ୍ୟାନ୍ ହଟାଇଥିଲେ ଶେଖ୍ ହସିନା ସରକାର।
ଟେଲିଗ୍ରାଫର ରିପୋର୍ଟ ଅନୁସାରେ, ୨୦୨୩ ସେପ୍ଟେମ୍ବର ୨୧ ତାରିଖରେ ବାଂଲାଦେଶରୁ ୯ଟି କାର୍ଗୋ ଟ୍ରକ୍ ୫ ଟନ୍ ଲେଖା ଇଲିସି ମାଛ ଧରି ପେଟ୍ରୋପୋଲ ଲ୍ୟାଣ୍ଡ ପୋର୍ଟରୁ ପଶ୍ଚିମବଙ୍ଗ ୨୪ ପ୍ରଗଣାର ବନଗାଓଁରେ ପହଞ୍ଚିଥିଲା। ଦୁର୍ଗାପୂଜା ଅବସରରେ ବାଂଲାଦେଶ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହା ଭାରତକୁ ଏକ ଭେଟି ଥିଲା।
ବର୍ତ୍ତମାନ ଯଦିଓ ବାଂଲାଦେଶ ଇଲିଶି ମାଛ ଉପରେ ପ୍ରତିବନ୍ଧକ ଲାଗିଛି ହେଲେ, ତ୍ରିପୁରାରୁ ନେଇ କୋଲକାତା ଭଳି ସୀମାନ୍ତ ରାଜ୍ୟରେ ଇଲିସିର ଚୋରାଚାଲାଣ ବି ହେଉଛି। ଅନ୍ୟପଟେ ମିଆଁମାରରୁ ଇଲିସି ଆମଦାନୀ ହେଉଥିବା ବେଳେ ଭାରତର ଗୁଜରାଟରୁ ବି ଇଲିସି ମାଛ ମରାଯାଉଛି। ହେଲେ ଗୁଜରାଟ ଓ ମିଆଁମାରରୁ ମିଳିଥିବା ଇଲିସି ଟେଷ୍ଟ କମ୍ ବୋଲି କୁହାଯାଏ।
ଇଏତ ଇଲିସି କଥା। ବାଂଲାଦେଶର ଅନ୍ତରୀଣ ସରକାର ସେଠାରେ ଥିବା ହିନ୍ଦୁମାନଙ୍କ ପାଇଁ ଏକ ତାଲିବାନୀ ହୁକୁମ ଜାରି କରିଛନ୍ତି। ଆଜାନୀ ସମୟରେ ଦୂର୍ଗାପୂଜା ସମ୍ପର୍କିତ କାର୍ଯ୍ୟବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଆଜାନର ୫ ମିନିଟ ପୂର୍ବରୁ ଗୀତ ସଂଗୀତ ଆଦି ବନ୍ଦ କରିବାକୁ ବାଂଲାଦେଶର ଗୃହ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା ଲେପ୍ଟନାଣ୍ଟ ଜେନେରାଲ ମହମ୍ମଦ ଜାହାଙ୍ଗୀର ଆଲାମ ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ତରୀଣ ସରକାର ଆସିବା ପରେ ଭାରତ ହିନ୍ଦୁମାନଙ୍କ ଉପରେ ହିଂସା ଓ ସରକାରୀ କଟକଣା ବଢ଼ି ଯାଇଛି। ଯଦି ଆଗକୁ ଏମିତି ଜାରି ରହେ ତେବେ ଭାରତ ଓ ବାଂଲାଦେଶର ସମ୍ପର୍କ ସୁଧାରିବାର ଆଶା କ୍ଷୀଣ। ଏହାରି ଭିତରେ ବାଂଲାଦେଶ କିନ୍ତୁ ଭାରତ ପାଣ୍ଠିରେ ତିଆରି ହୋଇଥିବା ବଡ଼ ପ୍ରୋଜେକ୍ଟ କାମ ଜାରିଖିବାକୁ ଚାହୁଁଛି। ବରଂ ଏଥିପାଇଁ ଭାରତର ସହଯୋଗ ଲୋଡୁଛି। ହେଲେ ଏତେସବୁ ପରେ ବାଂଲାଦେଶକୁ ନେଇ ଭାରତର କୂଟନୀତି କେଉଁ ଆଡ଼େ ଯିବ ତା ଉପରେ ସମସ୍ତଙ୍କ ନଜର।