ବନ୍ୟାରୁ ରକ୍ଷା ପାଇବା ପାଇଁ ବନ୍ୟା ନିରୋଧ ପାର୍କ ତିଆରି କରୁଛି ବ୍ୟାଙ୍କକ ; ମାଟି ତଳେ ନିର୍ମାଣ କରୁଛି କେଣ୍ଟନର ଓ ପୁଷ୍କରିଣୀ ଯେଉଁଥିରେ ଧରିବ ଲକ୍ଷ ଲକ୍ଷ ଗ୍ୟାଲେନ ପାଣି

Published By : Prameya-News7 Bureau | October 08, 2018 IST

ବ୍ୟାଙ୍କକ ୮|୧୦: ଏକ କୋଟି ଜନସଂଖ୍ୟା ବିଶିଷ୍ଟ ବ୍ୟାଙ୍କକ ସହର ପ୍ରତିବର୍ଷ ସମୁଦ୍ରରେ ଦୁଇ ସେଣ୍ଟିମିଟର ବୁଡୁଛି। ପରିବେଶ ଉପରେ ନଜର ରଖିଥିବା ଗ୍ରୀନପିସ୍ ସଂଗଠନ ଅନୁସାରେ ଥାଇଲ୍ୟାଣ୍ଡ ଉପସାଗରର ଜଳସ୍ତର ବର୍ଷକୁ ୪ମିମି ବଢୁଛି । ଏହା ବିଶ୍ବହାରଠାରୁ ଅଧିକ । ୨୦୧୧ ମସିହାରେ ହୋଇଥିବା ବନ୍ୟା ଯୋଗୁଁ ବ୍ୟାଙ୍କକ ସହରରେ ବହୁତ କ୍ଷୟକ୍ଷତି ହୋଇଥିଲା । ବନ୍ୟାରୁ ବର୍ତ୍ତିବା ଏବଂ ସହରକୁ ବୁଡିବାରୁ ରକ୍ଷାକରିବା ପାଇଁ ବ୍ୟାଙ୍କକରେ ଏବେ ବନ୍ୟା ନିରୋଧକ ପାର୍କ ନିର୍ମାଣ କରାଯାଉଛି । ଏହି ପାର୍କର ମାଟି ତଳେ ବୃହତ୍ତ କଣ୍ଟେନର ଏବଂ ବଡ ବଡ ପୋଖରୀ ପ୍ରସ୍ତୁତ କରାଯିବାର ଯୋଜନା ରଖାଯାଇଛି । ଏହି ସବୁ କଣ୍ଟେନରରେ ଲକ୍ଷ ଲକ୍ଷ ଗ୍ୟାଲନ ପାଣି ଜମାକରି ରଖାଯାଇପାରିବ । ବ୍ୟାଙ୍କକ ସହର ଏବେ ସମୁଦ୍ର ପତ୍ତନରୁ ମାତ୍ର ୫ମିଟର ଉଚ୍ଚରେ ରହିଛି । ବନ୍ୟାକୁ ରୋକିବା ପାଇଁ ସହର ମଧ୍ୟରେ ଅବସ୍ଥିତ ଚୁଲାଲୋଙ୍ଗକୋର୍ନ ବିଶ୍ବବିଦ୍ୟାଳୟରେ ୩୫ ଏକର ପରିମିତ ସ୍ଥାନରେ ସେଣ୍ଟେନାରୀ ପାର୍କ ନିର୍ମାଣ କରାଯାଉଛି । ଏଠାରେ ଗଛ ଏବଂ ଘାସ ତଳେ ବଡ ବଡ ପୋଖରୀ ନିର୍ମିତ ହୋଇଛି । ଯେଉଁଥିରେ ପାଣି ଜମା କରାଯାଇପାରିବ । ୨୦୧୧ ମସିହାର ବ୍ୟାଙ୍କକରେ ହୋଇଥିବା ବନ୍ୟା ସମସ୍ତଙ୍କୁ ଡରାଇଦେଇଛି । ଏକ ଅନୁସନ୍ଧାନ ଅନୁସାରେ ସାମାନ୍ୟ ସ୍ଥିତିରେ ଗଛ ଜଳ ଶୋଷି ନଥାଏ । ଖରା ଦିନେ ମାଟି ଅଧିକ ଅଧିକ ଜଳ ଶୋଷିଥାଏ । ମାତ୍ର ଯେତେବେଳେ ବନ୍ୟା ଆସିଥାଏ ସେତେବେଳେ ମାଟି ମଧ୍ୟ ଜଳ ଶୋଷିପାରିନଥାଏ । ଏହି ସମୟରେ ସେହି ପାଣିକୁ କୌଣସି କଣ୍ଟେନରରେ ଜମା କରାଯାଇପାରିବ । ବନ୍ୟା ପରେ ଜମା କରାଯାଇଥିବା ପାଣିକୁ ନାଳ ମାନଙ୍କରେ ଛଡାଯାଇପାରିବ । ବୋରାଖୋମର ଫାର୍ମ ଲ୍ୟାଣ୍ଡପ୍ରୋସେସ ବ୍ୟାଙ୍କକର ଥମାସାତ ବିଶ୍ବବିଦ୍ୟାଳୟରେ ୩୬ ଏକର ବିଶିଷ୍ଟ ପାଣି ଜମା କରିପାରୁଥିବା ପାର୍କ ଆସନ୍ତା ବର୍ଷ ପ୍ରସ୍ତୁତ କରିଦେବ । ଏହି ପାର୍କରେ ସେଣ୍ଟନାରୀ ପାର୍କ ଭଳି ପାଣି ଜମା କରିବାର ସିଷ୍ଟମ ମଧ୍ୟ ରହିଛି । ସେଣ୍ଟନାରୀ ପାର୍କକୁ ବ୍ୟାଙ୍କକର ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି । ବ୍ୟାଙ୍କକରେ ପ୍ରତି ବ୍ୟକ୍ତି ପିଛା ୫୫ବର୍ଗଫୁଟ ସବୁଜ ସ୍ଥାନ ରହିଛି । ଲଣ୍ଡନରେ ଏହା ୨୯୦ ବର୍ଗଫୁଟ ପ୍ରତି ବ୍ୟକ୍ତି ଏବଂ ସିଙ୍ଗାପୁରରେ ୭୧୦ ବର୍ଗପୁଟ ପ୍ରତି ବ୍ୟକ୍ତି ରହିଛି । ଯେଉଁଠାରେ ସେଣ୍ଟନାରୀ ପାର୍କ ନିର୍ମାଣ କରାଯାଉଛି ସେଠାରେ ଡେଲ୍ଟାର ଜମି ଥିଲା । ସେଠାରେ ଆଲିସାନ ବିଲ୍ଡିଂମାନ ନିର୍ମାଣ କରାଯିବାର ଯୋଜନା ଥିଲା । ମାତ୍ର ତାହା କରିବାକୁ ଦିଆଗଲାନାହିଁ । ଗତବର୍ଷ ହୋଇଥିବା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଗଲା । ମାତ୍ର ପାର୍କରେ ପାଣି ଜମା ହେଲାନାହିଁ । ବୋରାଖୋମର ପ୍ରୋଜେକ୍ଟ ନିର୍ମାଣ ପ୍ରସ୍ତାବ  ଥାଇଲ୍ୟାଣ୍ଡର ପୂର୍ବତନ ରାଜା ଭୂମିବୋଲା ଅଦୁଲ୍ୟାଦେଜ ଦେଇଥିଲେ । ଅଦୁଲ୍ୟାଦେଜ ହିଁ ଥାଇଲ୍ୟାଣ୍ଡର କୃଷି ମନ୍ତ୍ରଣାଳୟକୁ ବନ୍ୟା ରୋକିବା ପାଇଁ ବୋରାଖୋମର ପ୍ରୋଜେକ୍ଟ ଉପରେ ଧ୍ୟାନ ଦେବାକୁ କହିଥିଲେ । ଅଦୁଲ୍ୟାଦେଜଙ୍କର ୨୦୧୬ ମସିହାରେ ଦେହାନ୍ତ ହୋଇଯାଇଥିଲା । ବନ୍ୟା ନିରୋଧ ପାର୍କ ନିର୍ମାଣ କରି ବୁଡିଯାଉଥିବା ସହରକୁ ବଞ୍ଚାଇବା ପାଇଁ ଏହା ଏକ ଛୋଟ ପ୍ରୟାସ । ଏଥିପାଇଁ ପୁରା ସମାଜକୁ ଆଗକୁ ଆସିବାକୁ ପଡିବ । ବ୍ୟାଙ୍କକ ସହରର ପ୍ରଶାସନ ମଧ୍ୟ ବନ୍ୟା ରୋକିବାର ପ୍ରୟାସ ଉପରେ କାମ କରିବା ଆରମ୍ଭ କରିଦେଇଛି । ପ୍ରଶାସନ ବନ୍ୟା ନିରୋଧ ପ୍ରୋଜେକ୍ଟ ପାଇଁ ୨୬ ଅରବ (ପାଖାପାଖି ୫୯୦୦କୋଟି ଟଙ୍କା) ଖର୍ଚ୍ଚ କରିବା ପାଇଁ ଘୋଷଣା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.