ବ୍ୟାଟିଂରେ ଫେଲ୍ ମାରିଲା ବିରାଟ ବାହିନୀ, ହାଇଦ୍ରାବାଦକୁ ୧୨୧ ରନର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ
31/10/2020 at 9:13 PM

ସାରଜା ୩୧।୧୦: ବ୍ୟାଟିଂରେ ଫେଲ୍ ମାରିଲା ବିରାଟ ବାହିନୀ। ଆଇପିଏଲର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ବଡ ସ୍କୋର କରିବାରେ ବଞ୍ଚିତ ହୋଇ ସନରାଇଜର୍ସ ହାଇଦ୍ରାବାଦକୁ ୧୨୧ ରନର ବିଜୟ ଲକ୍ଷ୍ୟ ଦେଇଛି। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୨୦ ରନ କରିଛି। ଦଳ ପକ୍ଷରୁ ଜୋସ୍ ଫିଲିପ୍ ୩୨ ରନ କରିଛନ୍ତି। ବେଙ୍ଗାଲୁରୁ ଏହି ମ୍ୟାଚ୍ ଜିତିଲେ ପ୍ଲେଅଫ୍ରେ ସ୍ଥାନ ସୁନିଶ୍ଚିତ କରିବ ନହେଲେ ଅନ୍ତିମ ମ୍ୟାଚ୍ ଜିତିବା ଦଳ ପାଇଁ ଜରୁରୀ ହୋଇ ପଡିବ। ଅନ୍ୟପଟେ ହାଇଦ୍ରାବାଦ ଜିତିଲେ ପ୍ଲେଅଫ୍ ଦୌଡରେ ନିଜର ଆଶା ଉଜ୍ଜୀବିତ ରଖିବା ସହିତ ଦଳଗୁଡିକ ମଧ୍ୟରେ ପ୍ରତିଯୋଗିତା ଆହୁରି ରୋଚକ ହେବ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁର ଆରମ୍ଭ ଆଶାନୁରୂପ ନଥିଲା। ଦଳ ୧୩ ରନ ସ୍କୋରରେ ଇନଫର୍ମ ବ୍ୟାଟସମ୍ୟାନ ଦେବଦତ୍ତ ପାଡିକଲ(୫ରନ)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ୨୮ ରନ ସ୍କୋରରେ ଅଧିନାୟକ ବିରାଟ କୋହଲି ଆଉଟ୍ ହେବା ଦଳକୁ ବଡ ଝଟକା ଦେଇଥିଲା। ମଧ୍ୟ କ୍ରମରେ ଏବି ଡିଭିଲିୟର୍ସ ଓ ଓପନର ଜୋସ ଫିଲିପ୍ ତୃତୀୟ ଓ୍ଵିକେଟ୍ ପାଇଁ ୪୩ ରନ ଯୋଡିଥିଲେ। ୭୧ ରନ ସ୍କୋରରେ ଡିଭିଲିୟର୍ସ ୨୪ ରନ କରି ପାଭିଲିୟନ ଫେରିଥିଲେ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଜୋସ୍ ଫିଲିପ୍ ସର୍ବାଧିକ ୩୨ ରନ କରି ରାଶିଦ ଖାନଙ୍କ ଶିକାର ହୋଇଥିଲେ। ଓ୍ଵାଶିଂଟନ ସୁନ୍ଦର ୨୧ ରନ କରିଥିଲେ। ଗୁରକିରତ ସିଂହ ମନ ୧୫ ରନ କରି ଅପରାଜିତ ଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵକେଟ୍ ହରାଇ ୧୨୦ ରନ କରିଛି।
ସନରାଇଜର୍ସ ହାଇଦ୍ରାବାଦ ତରଫରୁ ସନ୍ଦୀପ ଶର୍ମା ଓ ଜାସନ ହୋଲଡର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଟି ନଟରାଜନ, ଶାହବାଜ ନଦୀମ ଓ ରାଶିଦ ଖାନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।