ବିନା ଅନୁମତିରେ ଅଭିନେତ୍ରୀଙ୍କ ଫଟୋ ଉଠାଇବା ଘଟଣା: ଆଲିଆଙ୍କୁ ଫୋନ୍ କରି ମାମଲା ରୁଜୁ କରିବାକୁ କହିଲା ପୁଲିସ୍
22/02/2023 at 4:28 PM

ମୁମ୍ବାଇ: ନିକଟରେ ଆଲିଆ ତାଙ୍କ ଘରେ ଥିବା ବେଳେ ଜଣେ ଫଟୋ ସାମ୍ବାଦିକ ବିନା ଅନୁମତିରେ ଜୁମ୍ ଲେନ୍ସରେ ତାଙ୍କ ଫଟୋ ଉଠାଇଥିଲେ। ଏହାକୁ ନେଇ ଆଲିଆ ଅସନ୍ତୋଷ ପ୍ରକାଶ କରିବା ସହ କିଭଳି ତାଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରାଯାଉଛି ସେନେଇ ଅଭିଯୋଗ କରି ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ସେ ମୁମ୍ବାଇ ପୁଲିସକୁ ମଧ୍ୟ ଟାଗ୍ କରିଥିଲେ।
ଅଭିଯୋଗ ପରେ ମୁମ୍ବାଇ ପୁଲିସ ଘଟଣାକୁ ଗୁରୁତର ସହ ନେଇଛି। ଏନେଇ ବାନ୍ଦ୍ରା ପୁଲିସ ପକ୍ଷରୁ ଆଲିଆଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଥାନାରେ ମାମଲା କରିବାକୁ ପରାମର୍ଶ ଦିଆଯାଇଛି। ଆଲିଆଙ୍କର ଏହି ପୋଷ୍ଟ ପରେ ଅନେକ ବଲିଉଡ୍ ସେଲିବ୍ରେଟି ତାଙ୍କ ସମର୍ଥନରେ ଆସି ସେମାନେ ବି ସମାନ ଅବସ୍ଥା ଭୋଗିଥିବା କହିଥିଲେ। ଏହାପରେ ଘଟଣାକୁ ଗୁରୁତର ସହ ନେଇଥିଲା ମୁମ୍ବାଇ ପୁଲିସ୍।
ଏନେଇ ଆଜି ବାନ୍ଦ୍ରା ପୁଲିସ ଆଲିଆଙ୍କ ସହ ଫୋନ୍ କରି କଥା ହୋଇଥିଲା। ଥାନାରେ ମାମଲା କରିବାକୁ ଆଲିଆଙ୍କୁ ପରାମର୍ଶ ଦିଆଯାଇଥିଲା। ପୁଲିସ ସହ ଆଲୋଚନାରେ ଆଲିଆ କହିଛନ୍ତି ଯେ ତାଙ୍କର ପି.ଆର୍ ଟିମ୍ ଏ ଘଟଣାର ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି। ଯେଉଁ ପୋର୍ଟାଲ୍ ଏହି ଫଟୋ ପବ୍ଲିଶ୍ କରିଛନ୍ତି ତାଙ୍କ ସହ ପିଆର୍ ଟିମ୍ ଯୋଗାଯୋଗରେ ରହିଛନ୍ତି। ଏନେଇ ଆଗାମୀ କାର୍ଯ୍ୟାନୁଷ୍ଠାନ କଣ ହେବ ତାହା ସ୍ଥିର ହେବା ପରେ ସେ ପୁଲିସ ପାଖକୁ ଆସିବେ ବୋଲି ଆଲିଆ କହିଛନ୍ତି।
ଆଲିଆ ଏ ଘଟଣା ସମ୍ପର୍କରେ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ଅସନ୍ତୋଷ ଝାଡ଼ିଥିଲେ। ସେ ତାଙ୍କ ପୋଷ୍ଟରେ ଲେଖିଥିଲେ “ ଆପଣ ମୋ ସହ ମଜାକ୍ କରୁଛନ୍ତି ନା କଣ ? ମୁଁ ଅପରାହ୍ନରେ ମୋ ଘରେ ବସିଥିଲି। ଲିଭିଂ ରୁମ୍ରେ ବସି ଥିବା ବେଳେ ମୋତେ କେହି ଜଣେ ବାହାରୁ ଦେଖୁଥିବାର ଅନୁଭବ ହେଲା। ମୁଁ ଉପରକୁ ଦେଖିଲା ବେଳକୁ ପଡ଼ୋଶୀ ବିଲ୍ଡିଂର ଛାତ ଉପରେ ଦୁଇ ଜଣ ବ୍ୟକ୍ତି ତାଙ୍କ କ୍ୟାମେରା ମୋ ଆଡ଼କୁ କରି ଛିଡା ହୋଇଛନ୍ତି। କେଉଁଠି ଏଭଳି ଘଟଣାକୁ ଠିକ୍ ବୋଲି କୁହାଯାଉଛି ଏଥିପାଇଁ ଅନୁମତି ଅଛି କି ? ”