ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’: ୨ ମିନିଟ୍‌ ୧୧ ସେକେଣ୍ଡରେ ଗାନ କରାଯିବ

Published By : Prameya-News7 Bureau | June 09, 2020 IST

ଭୁବନେଶ୍ୱର ୦୯।୦୬: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ୨ ମିନିଟ୍‌ ୧୧ ସେକେଣ୍ଡରେ ଗାନ କରାଯିବ । ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ଗାୟନ ଶୈଳୀରେ ଏହା ଗାନ କରାଯିବ । ଏ ସୂଚନା ଦେଇଛନ୍ତି ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ । ପୂର୍ବଭଳି କଣ୍ଠଶିଳ୍ପୀ ସୁବାସ ଦାସ ଓ ତୃପ୍ତି ଦାସଙ୍କୁ ନେଇ ଏହାର ରେକର୍ଡିଂ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଏ ସଙ୍ଗୀତ ପ୍ରତି ଅସମ୍ମାନ କଲେ କ’ଣ ଦଣ୍ଡବିଧାନ କରାଯିବ ତାହା ମଧ୍ୟ ଧାର୍ଯ୍ୟ କରାଯିବ ବୋଲି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି । ୯ ରାଜ୍ୟରେ ରାଜ୍ୟ ସଙ୍ଗୀତ ଥିଲା ବେଳେ କ’ଣ ଦଣ୍ଡବିଧାନ ରହିଛି ତାହାକୁ ସରକାର ତର୍ଜମା କରି ନିଷ୍ପତ୍ତି ନେବେ । ଏ ନେଇ ଆସନ୍ତା ୩ ଦିନ ମଧ୍ୟରେ ସରକାର ବୈଠକ କରି ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ପ୍ରଥମ ଶ୍ରେଣୀ ପାଠ୍ୟ ପୁସ୍ତକରେ ଏ ସଙ୍ଗୀତ ସ୍ଥାନିତ ହେବ । ଚଳିତ ବର୍ଷର ପଢ଼ା ବହି ମୁଦ୍ରଣ ଶେଷ ହୋଇ ପିଲାଙ୍କୁ ଦିଆସରିଛି । ଆସନ୍ତା ବର୍ଷ ଏହା ନିଶ୍ଚୟ ସିଲାବସ୍‌ରେ ରହିବ । ସୂଚନା ଓ ଲୋକସଂପର୍କ ବିଭାଗ ଏ ସଂପର୍କରେ ବିଜ୍ଞପ୍ତି ଜାରି କରିବା ପରେ ପାଠ୍ୟକ୍ରମରେ ଏହା କେମିତି ସ୍ଥାନିତ ହେବ ବିଚାର କରାଯିବ । ଆବଶ୍ୟକ ପଡ଼ିଲେ ପିଲାଙ୍କୁ ସ୍ୱତନ୍ତ୍ର ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ବର୍ଷର ଦାବି ପରେ ରାଜ୍ୟ କ୍ୟାବିନେଟ୍‌ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇଛି । ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବ । ଏହାର ଗାୟନ ଶୈଳୀ କେମିତି ହେବ ତାହା ନିର୍ଦ୍ଧାରଣ କରିବାକୁ ସୂଚନା ଓ ଲୋକ ସଂପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.