ପୁରୀରୁ ହାୱଡା ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍, ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | May 18, 2023 IST

ପୁରୀ ୧୮।୦୫ : ପୁରୀରୁ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ରହିବେ।

ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଯିବ । ବନ୍ଦେ ଭାରତ ଏକ୍ସପ୍ରେସ୍ ସହ ଓଡ଼ିଶାରେ ପ୍ରାୟ ୮ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପୁନଃବିକାଶ ହେଉଥିବା ଏହାବ୍ୟତୀତ ଓଡ଼ିଶାରେ ରେଳ ନେଟୱର୍କର ୧୦୦% ବିଦ୍ୟୁତୀକରଣକୁ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ସମ୍ବଲପୁର-ଟିଟିଲାଗଡ଼ ରେଳ ଲାଇନର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ମଧ୍ୟରେ ଏକ ନୂଆ ବ୍ରଡ୍ ଗଜ୍ ରେଳ ଲାଇନ, ମନୋହରପୁର-ରାଉରକେଲା-ଝାରସୁଗୁଡ଼ା-ଜାମଗା ମଧ୍ୟରେ ତୃତୀୟ ଲାଇନ୍‍ ଏବଂ ବିଛୁପାଲି -ଝାରତରଭା ମଧ୍ୟରେ ନୂଆ ବ୍ରଡ୍ ଗଜ୍ ଲାଇନର ଲୋକାର୍ପଣ କରିବେ । ଓଡ଼ିଶାର ଇସ୍ପାତ‍ ଏବଂ ଖଣି କ୍ଷେତ୍ରରେ ଦ୍ରୁତ ଶିଳ୍ପ ବିକାଶ ଯୋଗୁ ଏଗୁଡ଼ିକ ବର୍ଦ୍ଧିତ ପରିବହନ ଚାହିଦା ପୂରଣ କରିବ ଏବଂ ଏହି ରେଳ ସେକ୍ସନରେ ଯାତ୍ରୀ ପରିବହନ ଉପରେ ଚାପକୁ ମଧ୍ୟ କମ କରିବାରେ ସାହାଯ୍ୟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.