ଦୀର୍ଘ ଦିନ ପରେ ଝଟକିଲେ ରଙ୍ଗାଅଧର, ଚତୁର୍ଦ୍ଧାମୁରତୀଙ୍କ ହେଲା ଶ୍ରୀମୁଖ ଶୃଙ୍ଗାର, ଦର୍ଶନ କଲେ ଭକ୍ତ

Published By : Prameya-News7 Bureau | August 10, 2023 IST

ପୁରୀ ୧୦/୦୮: ଶେଷ ହୋଇଛି ବିବାଦ । ବୁଧବାର ବାଦବିବାଦର ଅନ୍ତ ଘଟିଛି । ୪୬ ଦିନ ପରେ ହୋଇଛି ମହାପ୍ରଭୁଙ୍କ ବନକଲାଗି । ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର ନୀତି ସମ୍ପନ୍ନ ହୋଇଛି । ଦତ୍ତମହାପାତ୍ର ସେବକମାନେ ଅପରାହ୍ଣ ୫ଟା ୪୫ରେ ଗର୍ଭଗୃହକୁ ପ୍ରବେଶ କରିଥିଲେ । ରାତି ୮ଟା ୪୫ରେ ଠାକୁରଙ୍କ ବନକଲାଗି ନୀତି ସାରି ବାହାରିଥିଲେ ।

ସେପଟେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ହେବାରେ ଭକ୍ତ ଓ ସେବାୟତ ମହଲରେ ଆନନ୍ଦ ଖେଳିଯାଇଛି । ହେଲେ ଠାକୁରଙ୍କ ନୀତିଶୃଙ୍ଖଳା ନେଇ ଏବେବି ସେବାୟତଙ୍କ ମନରେ ଚାପା ଅସନ୍ତୋଷ ରହିଛି । ମହାପ୍ରଭୁଙ୍କ ବନକଲାଗି ବାବଦରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ନେଇ ଦତ୍ତମହାପାତ୍ରଙ୍କୁ କୌଣସି ଲିଖିତ ନିର୍ଦ୍ଦେଶ ମିଳି ନଥିବା ସୂଚନା ରହିଛ ।

ଅପରାହ୍ଣ ୪ଟା୧୫ରେ ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ସରିଥିଲା । ପରେ ମଇଲମ ହୋଇଥିଲା ୪ଟା ୫୦ରେ । ଠାକୁରଙ୍କ ତଡ଼ପଲାଗି ୫ଟା ୧୦ରେ ଓ ପହୁଡ଼ ଆଳତି ୫ଟା ୨୦ରେ ସରିଥିଲା । ପରେ ବନକଲାଗି ପାଇଁ ଦତ୍ତମହାପାତ୍ରମାନେ ଗର୍ଭଗୃହକୁ ପ୍ରବେଶ କରିଥିଲେ । ଏହା ହେଉଛି ସେମାନଙ୍କ ଗୋଷ୍ଠୀଗତ ସେବା । ବନକଲାଗି ନୀତି ସମୟରେ ଠାକୁରଙ୍କ ଦର୍ଶନ କଟକଣା ରହିଥିଲା ।

ଏହି ନୀତିରେ ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି ସେବକଙ୍କ ମଧ୍ୟ ଭୂମିକା ରହିଥିଲା । ବନକଲାଗି ନୀତି ପରେ ମହାସ୍ନାନ ହୋଇ ପୁଣି ଦର୍ଶନ ସ୍ୱାଭାବିକ ଚାଲିଥିଲା । ନୀଳାଦ୍ରି ବିଜେ ପରେ ଠାକୁରଙ୍କ ବନକଲାଗି ନେଇ ଲାଗିଥିଲା ବିବାଦ । ନୀତି ବୁଧବାର କିମ୍ବା ଗୁରୁବାର କରାଯିବ ସେନେଇ ପ୍ରଶାସକ ଓ ସେବାୟତଙ୍କ ମଧ୍ୟରେ ବିବାଦ ତୁଟି ନଥିଲା ।

ଏଭଳି ସ୍ଥିତିରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର ନୀତି ପ୍ରାୟ ଦେଢ଼ ମାସ ଗଡ଼ିଗଲା । ଫଳରେ ଶ୍ରୀଅଙ୍ଗ ମଳିନ ପଡ଼ିଥିଲା । ଠାକୁରଙ୍କ ନିଷ୍ପ୍ରଭ ମୁଖମଣ୍ଡଳ ଦେଖି ଭକ୍ତ ଓ ସେବାୟତ ଗଭୀର ଦୁଃଖ ପ୍ରକାଶ କରିଥିଲେ । ଶାସ୍ତ୍ର ତଥା ଶ୍ରୀମନ୍ଦିର ସ୍ୱତ୍ୱ ଲିପିର ଆଲୋଚନା ହେଲା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବାରମ୍ବାର ବୈଠକ ବସିଲା । ଶେଷରେ ନୀତି ସବ୍‌କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସି ପ୍ରତି ୧୫ ଦିନରେ ବୁଧବାର ନଚେତ୍‌ କିଛି ବାଧା ଥିଲେ ଗୁରୁବାର ବନକଲାଗି କରାଯିବ ବୋଲି ସ୍ଥିର ହୋଇଛି ।

you can also read....

wp:embed {"url":"https://www.prameyanews7.com/banakalagi-niti-on-august-9-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/banakalagi-niti-on-august-9-2/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.