ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି : ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି, ଆସନ୍ତାକାଲି ହେରାପଞ୍ଚମୀରେ ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

Published By : Prameya-News7 Bureau | July 07, 2019 IST

ପୁରୀ ୭|୭: ଜନ୍ମବେଦୀରେ ମହାପ୍ରଭୁଙ୍କର ଆଜି ହେଉଛି ଚତୁର୍ଥ ଦିନ । ଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ଦ୍ବିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ଆରମ୍ଭ କରିବେ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ଏହି ସମୟରେ ସାଧାରଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ।

{"id":131444}

ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ କାଳିଆ ସାଆନ୍ତଙ୍କ ଆଜି ହେଉଛି ଚତୁର୍ଥ ଦିନ ।  ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି ବା ଶ୍ରୀମୁ‌ଖ ଶୃଙ୍ଗାର। ଦତ୍ତ ମହାପାତ୍ର ସେବାୟତ ମାନେ ଶ୍ରୀମନ୍ଦିର ନୀତି ନୀର୍ଘଣ୍ଟ ଅନୁଯାୟୀ ରାତି ୯ଟାରୁ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଆରମ୍ଭ କରିବେ। ପ୍ରାୟ ୪ ଘଣ୍ଟାର ଏହି ବନକ ଲାଗି ନୀତି ଥିବାରୁ ସର୍ବ ସାଧାରଣ ଦର୍ଶନକୁ ବନ୍ଦ କରାଯାଇ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ। ବନକ ଲାଗି ପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତ ମାନେ ଏହି ନୀତି ସଂପନ୍ନ କରିଥାନ୍ତି ।

{"id":131446}

ପ୍ରଥମେ ଶ୍ରୀବିଗ୍ରହମାନଙ୍କର ଅଧର ପୋଛା ପରେ ବନକ ଲାଗି ନୀତି କରାଯିବ। ଏଥିପାଇଁ ବେଶ୍ ନିଷ୍ଠାର ସହ ଦତ୍ତ ମହାପାତ୍ର ସେବାୟତମାନେ ବନକ ପ୍ରସ୍ତୁତ କରିଛନ୍ତି । ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ବାରା ମହାପ୍ରଭୁଙ୍କ ମୁଖ ମଣ୍ଡଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖା ଯାଇଥାଏ ।

ଆସନ୍ତାକାଲି ହେରାପଞ୍ଚମୀ । ଅଭିମାନିନୀ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଆସି ମହାପ୍ରଭୁଙ୍କ ରଥ ଭାଙ୍ଗିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.