ଆଇପିଏଲ ୨୦୨୧ : ପଞ୍ଜାବ କିଙ୍ଗସକୁ ଟକ୍କର ଦେବ ରୟାଲ ଚ୍ୟାଲେଞ୍ଜର୍ସ

Published By : Prameya-News7 Bureau | October 03, 2021 IST

ସାରଜା,୦୩/୧୦: ଆଇପିଏଲ୍‌ର ୪୮ତମ ଲିଗ୍‌ ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ୧୪ ପଏଣ୍ଟ ହାସଲ କରିସାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ମ୍ୟାଚ୍ ବିଜୟ ସହ ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ପ୍ରୟାସ କରିବ । ପଞ୍ଜାବ କିଙ୍ଗ୍‌ସ୍‌ ପାଇଁ ଶେଷ ୨ଟି ଯାକ ମ୍ୟାଚ୍‌ରେ ବିଜୟ ଜରୁରୀ ।

ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୩୩ ରନ୍‌ରେ ବିଜୟୀ ହୋଇଥିଲା । ରବିବାର କୋହଲି ବାହିନୀ ବିପକ୍ଷରେ ଆଧିପତ୍ୟ ଜାରି ରଖିବାକୁ କିଙ୍ଗ୍‌ସ ଦଳ ଚେଷ୍ଠା କରିବ । ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ହରାଇବା ପରେ ଦଳର ମନୋବଳ ଦୃଢ ରହିଛି । ଶାହରୁଖ ଖାନ୍‌ ଏକାଦଶକୁ ଫେରିବା ପରେ ଦଳ ପୂର୍ବାପେକ୍ଷା ଅଧିକ ସନ୍ତୁଳିତ ମନେ ହେଉଛି ।

ରୟାଲ ଚ୍ୟାଲେଞ୍ଜର୍ସ କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ଜିତି ସାରିଛି । ଦଳର ପ୍ରତ୍ୟେକ ଖେଳାଳି ଫର୍ମକୁ ଫେରିଛନ୍ତି । କେ ଏସ୍‌ ଭରତ ବ୍ୟାଟିଂ କ୍ରମର ୩ନଂ ସ୍ଥାନ ଦୂର୍ବଳତା ଦୂର କରିଛନ୍ତି । ସେହିପରି ସାହମାଜ ଅହମ୍ମଦ ବୋଲିଂ ବିଭାଗକୁ ସନ୍ତୁଳିତ କରିଛନ୍ତି । ଆଜିର ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.