ଟି-୨୦ରେ ବାଂଲାଦେଶଠୁ ପ୍ରଥମ ଥର ହାରିଲା ଅଷ୍ଟ୍ରେଲିଆ, ହାସଲ କରିପାରିଲାନି ୧୩୨ ରନର ବିଜୟ ଲକ୍ଷ୍ୟ

Published By : Prameya-News7 Bureau | August 03, 2021 IST

ନୂଆଦିଲ୍ଲୀ ୦୩।୦୮: ବାଂଲାଦେଶ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଦମଦାର ଭାବେ ଆରମ୍ଭ କରିଛି। ମଙ୍ଗଳବାର ଢାକାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ୨୩ ରନରେ ପରାସ୍ତ କରିଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୩୧ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଦଳ ମାତ୍ର ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା। ବାଂଲାଦେଶ ବୋଲିଂ ଜାଲରେ ଫଶିଥିଲେ କଙ୍ଗାରୁ ବ୍ୟାଟସମ୍ୟାନ। ମାତ୍ର ପଞ୍ଚମ ଟି-୨୦ ମ୍ୟାଚ୍‌ରେ ନସୁମ ଅହମ୍ମଦ ୪ ଓ୍ଵିକେଟ୍ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଏଥିସହ ବାଂଲାଦେଶ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ଫର୍ମାଟ୍‌ରେ ନିଜର ପ୍ରଥମ ବିଜୟ ହାସଲ କରିଛି। ଏହା ପୂର୍ବରୁ ଉଭୟ ଦଳ ମଧ୍ୟରେ ୪ଟି ଟି-୨୦ ମୁକାବିଲା ଖେଳାଯାଇଥିଲା। ଏଥିରେ ସମସ୍ତ ମ୍ୟାଚ୍ ଜିତିଥିଲା ଅଷ୍ଟ୍ରେଲିଆ।

ଢାକାରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ତିନି ଜଣ ବ୍ୟାଟସମ୍ୟାନ ଖାତା ମଧ୍ୟ ଖୋଲି ପାରିନଥିଲେ। ଆଲେକ୍ସ କେରି ଇନିଂସର ପ୍ରଥମ ବଲ୍‌ରେ କ୍ଲିନ  ବୋଲ୍ଡ ହୋଇଥିଲେ। ମିଚେଲ୍ ମାର୍ଶ ୪୫ ରନ କରି ଗୋଟିଏ ପଟେ ଇନିଂସ ସମ୍ଭାଳିଥିଲେ ମଧ୍ୟ ଅନ୍ୟପଟେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ଖସି ଚାଲିଥିଲା। ଅଷ୍ଟ୍ରେଲିଆ ଇନିଂସରେ ଦ୍ଵିତୀୟ ବଡ ସ୍କୋର ୧୪ ରନ କରିଥିଲେ ମିଚେଲ ଷ୍ଟାର୍କ। ବାଂଲାଦେଶ ପକ୍ଷରୁ ବାମହାତୀ ସ୍ପିନର ନସୁମ ଅହମ୍ମଦ ମାତ୍ର ୧୯ ରନ ଦେଇ ୪ ଓ୍ଵିକେଟ୍ ନେଇ ବାଂଲାଦେଶ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମୁସ୍ତାଫିଜୁର ରେହମାନ ଓ ଶୋରିଫୁଲ ଇସଲାମଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ମିଳିଛି। ଶାକିବ ଅଲ ହସନ ଓ ମେହଦି ହାସନଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

ଅଷ୍ଟ୍ରେଲିଆ ଟି-୨୦ ଦଳର ଅଧିନାୟକ ମାଥ୍ୟୁ ଓ୍ଵାଦେ ଟସ୍  ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ରୁତ  ବୋଲର ଜୋଶ୍ ହେଜେଲଉଡ ନିଜର ଫର୍ମ ବଜାୟ ରଖି ୪ ଓଭରରେ ୨୪ ରନ ଦେଇ ୩ ଓ୍ଵିକେଟ୍ ହାସଲ କରିଥିଲେ। ମିଚେଲ୍ ଷ୍ଟାର୍କ ୨ ଏବଂ ଆଡମ ଜାମ୍ପା ୧-୧ ଓ୍ଵିକେଟ୍ ନେଇଥିଲେ। ବାଂଲାଦେଶ ପକ୍ଷରୁ ମହମ୍ମଦ ନଇମ ୩୦, ଶାକିବ ଉଲ ହାସନ ୩୬ ଓ ମହମଦୁଲ୍ଲାହ ୨୦ ରନ କରିଥିଲେ। ଅଫିଫ ହୁସେନ ୨୩ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ।

ବାଂଲାଦେଶ ସ୍ପିନରଙ୍କ କମାଲ

ସ୍ପିନର ପାଇଁ ଖୁବ୍ ଉପଯୋଗୀ ପିଚ୍‌ରେ ବାଂଲାଦେଶ ଅଫ ସ୍ପିନର ମେହଦି ହସନ ପ୍ରଥମ ଓଭରର ପ୍ରଥମ ବଲ୍‌ରେ ଆଲେକ୍ସ କେରିଙ୍କ ଓ୍ଵିକେଟ୍ ନେଇଥିଲେ। ଏହା ପରେ ନସୁମ ଅହମ୍ମଦ ଜୋଶ ଫିଲିପି ଓ ମୋସେସ ହେନରିକ୍ସଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ। ଅଧିନାୟକ ମାଥ୍ୟୁ ଓ୍ଵାଦେ ନସୁମ ଅହମ୍ମଦଙ୍କ ଶିକାର ହୋଇ ୧୩ ରନ କରି ବିଦାୟ ନେଇଥିଲେ। ଆଷ୍ଟନ ଏଗର ୭, ଆଷ୍ଟନ ଟର୍ଣ୍ଣର ୮ ରନ କରି ଆଉଟ୍ ହୋଇଥିଲେ। ମିଚେଲ୍ ଷ୍ଟାର୍କ ଇନିଂସର ଅନ୍ତିମ ବଲ୍‌ରେ ଆଉଟ୍ ହୋଇଥିଲେ। ଏହି ପରି କଙ୍ଗାରୁ ଦଳ ୧୩୨ ରନର ପିଛା କରି ୨୦ ଓଭରରେ ୧୦୮ ରନରେ ଅଲଆଉଟ୍ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.