ବାବା ରାମଦେବଙ୍କ ଏହି ସବୁ ଔଷଧ ଉପରେ ଲାଗିଲା ରୋକ୍, ନୋଟିସ୍ କରି ତତ୍କାଳ ଅଟକାଗଲା ଉତ୍ପାଦନ

Published By : Prameya-News7 Bureau | November 11, 2022 IST

ଡେରାଡୁନ ୧୧।୧୧: ଉତ୍ତରାଖଣ୍ଡ ଆୟୁର୍ବେଦ ଓ ୟୁନାନି ଲାଇସେନସିଂ ଅଥରିଟି ରାମଦେବ ବାବାଙ୍କ ଦିବ୍ୟ ଫର୍ମାସୀଙ୍କୁ ୫ଟି ଔଷଧର ଉତ୍ପାଦନ ତତ୍କାଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ଅଥରିଟି ଏହି ୫ଟି ଔଷଧର ସଂଶୋଧିତ ଫର୍ମୂଲେସନ ସିଟ୍ ଉପସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଦିବ୍ୟ ଫର୍ମାସୀ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ପ୍ରଡକ୍ଟ ଉତ୍ପାଦନ କରୁଛନ୍ତି। ଏହି ଔଷଧ ଗୁଡିକ ରକ୍ତଚାପ, ମଧୁମେହ ସମେତ ଅନେକ ଜଟିଳ ବେମାରୀ ସହ ସମ୍ବଦ୍ଧିତ।

ଦିବ୍ୟ ଫର୍ମାସୀର ବିପିଗ୍ରିଟ୍, ମଧୁ ଗ୍ରିଟ୍, ଥାୟରୋ ଗ୍ରିଟ୍, ଲିପିଡୋମ ଟାବଲେଟ୍, ଆଇ ଗ୍ରିଟ୍ ଗୋଲ୍ଡ ଟାବଲେଟ୍‌କୁ କ୍ରମଶଃ ବ୍ଲଡ ପ୍ରେସର, ଡାୟବେଟିଜ୍, ଗୋଇଟର, ଗ୍ଲୁକୋମା ଓ ହାଇକୋଲେଷ୍ଟ୍ରଲ ଔଷଧ କହି ବିକ୍ରି କରୁଛନ୍ତି। ତେବେ ଡ୍ରଗ ଲାଇସେନସିଂ ଅଥରିଟି ଏବେ ଏହାର ପ୍ରଡକ୍ସନ ଅଟକାଇ ଦେଇଛନ୍ତି। ଏହା ଛଡା ଅଥରିଟି ସଂଶୋଧିତ ଫର୍ମୂଲେସନ ରିପୋର୍ଟ ମଧ୍ୟ ମାଗିଛନ୍ତି। କୁହାଯାଇଛି ଯେଉଁ ପର୍ଯ୍ୟନ୍ତ ନୂଆ ଫର୍ମୂଲେସନକୁ ମଞ୍ଜୁରୀ ନ ମିଳିଛି ସେ ପର୍ଯ୍ୟନ୍ତ ଏହି ସବୁ ଔଷଧର ଉତ୍ପାଦନ ହେବ ନାହିଁ।

{"id":707925,"sizeSlug":"full","linkDestination":"none"}

ଅଥରିଟିଙ୍କ ଦ୍ୱାରା ଗଠିତ ପ୍ୟାନେଲ ପୂର୍ବରୁ ଉତ୍ପାଦଗୁଡିକର ମୂଳ ଫର୍ମୂଲେସନ ସିଟ୍  ଓ ଲେବୁଲ ଦାବିର ଯାଞ୍ଚ କରିସାରିଛନ୍ତି। ପତଞ୍ଜଳିଙ୍କ ଏହି ସବୁ ଔଷଧକୁ ନେଇ କେରଳର ଜନୈକ ଡାକ୍ତର କେ.ଭି ବାବୁ ଅଭିଯୋଗ କରିଥିଲେ। ଡ୍ରଗ ଲାଇସେନସିଂ ଅଥରିଟିଙ୍କ ନିକଟରେ କରିଥିବା ଅଭିଯୋଗରେ ଦିବ୍ୟ ଫର୍ମାସୀ ବିରୋଧରେ ଔଷଧ ନିୟମର ଉଲ୍ଲଂଘନର ଆରୋପ ଲଗାଇଥିଲେ। ଏହି ଅଭିଯୋଗ ଆଧାରରେ ଦୀର୍ଘ ୩ ମାସ କାଳ ଧରି ଯାଞ୍ଚ ପରେ ଅଥରିଟି ଏହି ଔଷଧଗୁଡିକର ଉତ୍ପାଦନ ଅଟକାଇଛନ୍ତି।

ଏହା ଛଡା ରାଜ୍ୟ ସ୍ୱାସ୍ଥ୍ୟ ପ୍ରାଧିକରଣଙ୍କ ଯୁଗ୍ମ ନିର୍ଦ୍ଦେଶକ ଜି.ସି.ଏନ.ଜଙ୍ଗପାଙ୍ଗି ଦିବ୍ୟ ଫର୍ମାସୀକୁ ନୋଟିସ ପଠାଇ ଏକ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟଯେ ଫର୍ମାସୀ ଦ୍ୱାରା ଔଷଧ ସମ୍ପର୍କରେ ଭ୍ରମ ବ୍ୟାପ୍ତ କରାଯାଉଥିବାର ଅଭିଯୋଗ ହୋଇଛି। ଏଣୁ ଡ୍ରଗ କଣ୍ଟ୍ରୋଲର ତତ୍କାଳ ପ୍ରଭାବରେ ଏହି ସବୁ ଔଷଧର ବିଜ୍ଞାପନକୁ ମିଡିଆ ସ୍ପେସ୍‌ରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପତଞ୍ଜଳୀ ପକ୍ଷରୁ ଏପରି କୌଣସି ନୋଟିସ୍ ମିଳିନଥିବାର ଏହାର ମୁଖପାତ୍ର ଏସ.କେ.ତିଜାରାୱାଲା ଗଣମାଧ୍ୟମକୁ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.