ପିଆଜ ଦର ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡିଲେ ସରକାର, ଖାଉଟି ବ୍ୟାପାର ସଚିବ କହିଲେ ହଟିନି ରପ୍ତାନୀ କଟକଣା

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ ୨୧।୨:  ପିଆଜ ରପ୍ତାନୀ ଉପରେ ଘୋଷଣା କରାଯାଇଥିବା କଟକଣା ପୂର୍ବ ସମୟ ସୀମା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ। ଦେଶରେ ପିଆଜ ଦର ନିୟନ୍ତ୍ରିତ ରଖିବା ପାଇଁ ଘରୋଇ ବଜାରରେ ଉପଲବ୍ଧତା ସୁନିଶ୍ଚିତ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ୮ ଡିସେମ୍ବର ୨୦୨୩ରେ କେନ୍ଦ୍ର ସରକାର ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପିଆଜ ରପ୍ତାନୀ ଉପରେ ରୋକ ଲଗାଇଥିଲେ। ତାହା ଏପର୍ଯ୍ୟନ୍ତ କାୟମ ଥିବା ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ ବୁଧବାର କହିଛନ୍ତି।

ପିଆଜ ରପ୍ତାନୀ କଟକଣା ହଟିବା ଖବରରେ ଦେଶରେ ପିଆଜ ଦର ଅଚାନକ ବଢି ଯାଇଛି। ଲାସଲଗାଓଁ ପାଇକାରୀ ବଜାରରେ ଫେବୃଆରୀ ୧୯ ତାରିଖ ଦିନ ପିଆଜ କ୍ୱିଣ୍ଟଲ ପିଛା ଦରରେ ୪୦.୬୨ ପ୍ରତିଶତ ବୃଦ୍ଧି ହୋଇ ୧,୮୦୦ଟଙ୍କା ସ୍ତରକୁ ପହଞ୍ଚିଥିଲା। ତେବେ ସରକାରୀ କଟକଣା ବଳବତ୍ତର ଥିବା ଜଣାପଡିବା ପରେ ପିଆଜ ଦର ପୁଣି ନିୟନ୍ତ୍ରଣକୁ ଆସିଯାଇଛି।

{"id":912008,"sizeSlug":"full","linkDestination":"none"}

ଉପଭୋକ୍ତା ମନ୍ତ୍ରାଳୟ ୱେବସାଇଟ୍ ଅନୁସାରେ ଫେବୃଆରୀ ୧୯ ତାରିଖ ଦିନ ଖୁଚୁରା ବଜାରରେ ପିଆଜର ହାରାହାରି ଦର କେଜି ପିଛା ୩୨ଟଙ୍କା ୨୬ ପଇସା ଥିବା ବେଳେ ୨୦ ତାରିଖ ଦିନ ୩୨ଟଙ୍କା ୪୩ ପଇସା ଦରରେ କାରବାର ହୋଇଛି। ତେବେ ଛତିଶଗଡ଼ରେ ୧୯ ଫେବୃଆରୀ ତୁଳନାରେ ୨୦ ଫେବୃଆରୀ ଦିନ ପିଆଜ କେଜି ପିଛା ଦରରେ ୧୧.୪୬ ପ୍ରତିଶତ ମହଙ୍ଗା ହୋଇଥିଲା। ଏହା ଛଡା ଗତ ଦୁଇ ଦିନରେ ଗୋଆ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ତେଲେଙ୍ଗାନା, ନାଗାଲ୍ୟାଣ୍ଡ, ମିଜୋରାମ ଓ ୟୁପିରେ ଖୁଚୁରା ପିଆଜ ଦରରେ ସାମାନ୍ୟ ବୃଦ୍ଧି ହୋଇଥିଲେ ବି  ଶର ବାକି ରାଜ୍ୟମାନଙ୍କରେ ପିଆଜ ଦର ସ୍ୱଭାବିକ ରହିଛି।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଦେଶରେ ସାଧାରଣ ନିର୍ବାଚନ ପୂର୍ବରୁ ପିଆଜ ରପ୍ତାନୀ କଟକଣା ହଟିବାର ସମ୍ଭାବନା ନାହିଁ। କାରଣ ରବି ଋତୁରେ ମହାରାଷ୍ଟ୍ରରେ କମ୍‌ ଜମିରେ ପିଆଜ ଚାଷ ହୋଇଥିବାରୁ ଉତ୍ପାଦନ ହ୍ରାସ ହେବାର ଆଶଙ୍କା କରାଯାଉଛି। ୨୦୨୩ ରବି ଋତୁରେ ମୋଟ ପିଆଜ ଉତ୍ପାଦନ ୨.୨୭ କୋଟି ଟନ ହେବାର ଅନୁମାନ କରାଯାଉଛି। କୃଷିମନ୍ତ୍ରାଳୟଙ୍କ ଅଧିକାରୀମାନେ ଆଗାମୀ ଦିନରେ ମୁଖ୍ୟ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଗୁଜରାଟରେ ରବି ପିଆଜ କଭରେଜର ଆକଳନ କରିବେ। ତେବେ ଅନ୍ତର-ମନ୍ତ୍ରୀ ସମୂହଙ୍କ ମଞ୍ଜୁରୀ ପରେ ମିତ୍ର ଦେଶଙ୍କୁ ସେମାନଙ୍କ ସହିତ ସମ୍ପର୍କ ଓ ଅନ୍ୟ ପରିସ୍ଥିତିକୁ ଦେଖି ପିଆଜ ରପ୍ତାନୀର ଅନୁମତି ଦିଆଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.