ନାଗପୁରରେ ଭିକ୍ଷାବୃତ୍ତି ଉପରେ ଲାଗିଲା ରୋକ୍, ଭିକାରୀ ଗଲେ ଗାଁକୁ
11/03/2023 at 9:24 PM

ନାଗପୁର ୧୧।୩: ମହାରାଷ୍ଟ୍ରର ଉପରାଜଧାନୀ କୁହାଯାଉଥିବା ନାଗପୁର ସହରରେ ଭିକ୍ଷାବୃତ୍ତି ନିଷିଦ୍ଧ ହୋଇଛି। ନାଗପୁର ପ୍ରଶାସନ ସହରରେ ଭିକାରୀଙ୍କ ଲାଗି ୧୪୪ ଧାରା ଜାରି କରିଛନ୍ତି। ସହରରେ ଭିକ୍ଷାବୃତ୍ତି ନିଷିଧାଦେଶ ଲାଗୁ ହେବା ପରେ ପାଖାପାଖି ଦେଢ ଶହ ଭିକାରୀଙ୍କୁ ସେମାନଙ୍କ ଗାଁକୁ ପଠାଇ ଦିଆଯାଇଛି। ଏହା ସହ ସହରରେ ଯଦି କାହାରିକୁ ଭିକ୍ଷାବୃତ୍ତି କରୁଥିବାର ଦେଖାଯାଏ ତେବେ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ମଧ୍ୟ ପ୍ରଶାସନ ଚେତାବନୀ ଦେଇଛି।
ଉଲ୍ଲେଖଯୋଗ୍ୟ ଯେ ନାଗପୁର ସହରରେ ଆଗାମୀ ୨୦ ଓ ୨୧ ତାରିଖରେ ଜି-୨୦ ବୈଠକ ଅନୁଷ୍ଠିତ ହେବ। ପ୍ରସ୍ତାବିତ ବୈଠକକୁ ନେଇ ପୋଲିସ ଚାରିଛକମାନଙ୍କରେ ଭିକମାଗି ବାହନ ଚାଳକଙ୍କୁ ହଇରାଣ କରୁଥିବା ଭିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଛି। ନାଗପୁର ପୋଲିସ କମିଶନର ଅମିତେଶ କୁମାର ଭିକ୍ଷାବୃତ୍ତିକୁ ନେଇ ଫୌଜଦାରୀ ଦଣ୍ଡବିଧି ଆଇନର ଧାରା ୧୪୪ ଜାରି କରିଛନ୍ତି। ଏହି ଆଦେଶ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସହରରେ ବଳବତ୍ତର ରହିବ ବୋଲି କହିଛନ୍ତି।

ସହରରେ ପୋଲିସ ଭିକ୍ଷାବୃତ୍ତି ଉପରେ କଟକଣା ଜାରି କରିବା ମାତ୍ରେ ବିଭିନ୍ନ ଚାରିଛକରେ ଭିକ୍ଷାବୃତ୍ତି କରୁଥିବା ପ୍ରାୟ ଦେଢ ଶହରୁ ଊର୍ଦ୍ଧ୍ୱ ଭିକାରୀ ନିଜନିଜ ଗାଁକୁ ଫେରି ଯାଇଛନ୍ତି। ଯେଉଁମାନଙ୍କ ମଧ୍ୟରେ ୩୦ ପିଲା, ୪୦ ମହିଳା ଓ ୮୦ ପୁରୁଷ ଅଛନ୍ତି। ନାଗପୁର ସହରର ମୁଖ୍ୟ ଚାରିଛକମାନଙ୍କରେ ଭିକାରୀଙ୍କ ଭିକ୍ଷାବୃତ୍ତି ଏକ ସାଧାରଣ ଦୃଷ୍ୟ। କିଏ ଖେଳନା ବିକିବା ବାହାନାରେ ଭିକ୍ଷା ବୃତ୍ତି କରୁଛି ତ କିଏ ସିଧାଶଳଖ ଭିକ୍ଷାମାଗୁଛନ୍ତି। ସହରରେ ଭିକ୍ଷାବୃତ୍ତି ଦିନକୁ ଦିନ କରାଳ ରୂପ ଧାରଣ କରିବାରେ ଲାଗିଛି। ତେବେ ସବୁ ଭିକାରୀ ନାଗପୁର ଅଞ୍ଚଳର ନୁହନ୍ତି।
ସେମାନେ ସହରର ଫୁଟପାଥ, ପଡିଆ ଓ ସାର୍ବଜନିକ ସ୍ଥାନକୁ ନିଜ କବଜାରେ କରି ରଖିଛନ୍ତି। ସହରରେ ପୋଲିସ ଭିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପୋଲିସ ଅଧିସୂଚନା ମାଧ୍ୟମରେ ଭିକ୍ଷାବୃତ୍ତି ଉପରେ କଡା କଟକଣା ଜାରି କରିଛି। ଏହି ଆଦେଶର ଉଲ୍ଲଂଘନକାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧି ଆଇନର ଧାରା ୧୮୮ଅନୁସାରେ ଫୈଜଦାରୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପୋଲିସ ସତର୍କ କରିଛି।