ଜମୁଛି ବାଲିଯାତ୍ରା: କିଣାବିକା ବୁଲାବୁଲି ସହ ଲେଜର ଲାଇଟ୍ ସୋ'ର ମଜା ନେଉଛନ୍ତି ଦର୍ଶକ

Published By : Prameya-News7 Bureau | November 12, 2022 IST

କଟକ, ୧୨/୧୧: ଚଳିତବର୍ଷ ବାଲିଯାତ୍ରାର ଶୁକ୍ରବାର ଦେଖିବାକୁ ମିଳିଥିଲା ସବୁଠାରୁ ବଡ ଭିଡ଼ । ଯାତ୍ରାର ଚତୁର୍ଥ ଦିନରେ ଆଜି ପ୍ରାୟ ୫ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଛି । ଦିନରୁ ରାତି, ଉପରପଡ଼ିଆରୁ ତଳ ପଡ଼ିଆ ଜାମ୍‌ ରହିଲା । ଯେତିକି ବାହାରୁଥିଲେ ତା’ଠାରୁ ଢେର ଗୁଣରେ ଲୋକେ ପଶୁଥିଲେ ।

ବିଶେଷ କରି ତଳପଡ଼ିଆରେ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା । ସବୁଦିନ ପରି ସକାଳୁ ମହାନଦୀ ପଠାରୁ ଶୁଭିଥିଲା ଭଜନ ଓ ସଂକୀର୍ତ୍ତନ । ଜେକେଏସ୍‌ଏସ୍‌ ଗ୍ରୁପ୍‌ ଦ୍ୱାରା କରାଯାଇଥିବା ସଂକୀର୍ତ୍ତନ ଧ୍ୱନିରୁ ପଡ଼ିଆକୁ ଲୋକଙ୍କ ଗଡ଼ିବା ଆରମ୍ଭ କରିଥିଲା । ପରେ ଆରମ୍ଭ ହୋଇଥିଲା ପଥୋତ୍ସବ ଓ ଯୋଗ ଶିବିର । ଶିବିରକୁ ପରିଚାଳନା କରିଥିଲେ କ୍ରୀୟା ଅନୁଷ୍ଠାନର ଲିଲି ଜେନାମଣି । ପ୍ରାୟ ଘଣ୍ଟାଏ କାଳ ଯୋଗ କାର୍ଯ୍ୟକ୍ରମ ଚାଲିଥିଲା । ପରେ ସମ୍ବଲପୁରୀ ନୃତ୍ୟରେ ଝୁମିଥିଲା ପଥୋତ୍ସବ । ମମତା ଡ୍ୟାନ୍ସ ଏକାଡ଼େମୀ ଦ୍ୱାରା ପରିବେଷିତ ଏହି ନୃତ୍ୟ ବେଶ୍‌ ଚିତ୍ତାକର୍ଷକ ଥିଲା । ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ପୁଲିସ୍‌ ବ୍ୟାଣ୍ଡ୍‌, ଯାହା ମାହୋଲକୁ ଜମାଇଥିଲା ।

ସକାଳର ପଥୋତ୍ସବକୁ ପରିଚାଳନା କରିଥିଲେ ସାର୍ଥକ । ପଥୋତ୍ସବ ଶେଷ ହେବା ପରେ ଦୁଇ ତିନି ଘଣ୍ଟା ପାଇଁ ଜାଣ ବ୍ୟବସାୟୀଙ୍କୁ ଫୁରସତ ମିଳିଥିଲା । ଅପରାହ୍ନ ୧ଟା ପରଠାରୁ ବାଲିଯାତ୍ରା ପଡିଆରେ ଲୋକ ସଂଖ୍ୟା ବଢିବାରେ ଲାଗିଥିଲା । ସନ୍ଧ୍ୟା ହେବା କ୍ଷଣି ମେଳା ପଡିଆ ଫୁଲ୍‌
ହୋଇଯାଇଥିଲା । ଆକଳନ କହୁଛି, ଆଜି ପ୍ରାୟ ୫ଲକ୍ଷ ଲୋକ ବାଲିଯାତ୍ରା ବୁଲିଥିଲେ । ଭିଡ଼କୁ ନେଇ ଆଜି ସାରା ସହରର ଟ୍ରାଫିକ୍‌ ବିପର୍ଯ୍ୟସ୍ତ ହୋଇପଡିଥିଲା । ରିଂରୋଡ୍‌ରେ ଏଭଳି ଭିଡ଼ ହୋଇଥିଲା ଯେ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଥିଲେ ।

ଆମିଷ ବାର ହୋଇଥିବାରୁ ବାଲିଯାତ୍ରାକୁ ଲୋକଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି । ସେହିପରି ରାତିରେ ଅକ୍ଷୟ ମହାନ୍ତି ନାଇଟ୍‌ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥିଲା । ଖୋକା ଭାଇଙ୍କ ଗୀତ ଶୁଣିବାକୁ ମଞ୍ଚ ପାଖରେ ହଜାର ହଜାର ଲୋକେ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଅନ୍ୟପକ୍ଷରେ ଗତକାଲି ଅପେକ୍ଷା ଆଜି ଗହଳି ବଢ଼ିଥିବାରୁ କିଣାବିକାରେ ବୃଦ୍ଧି ଘଟିଛି ।

ଓରମାସ୍‌, ଭିନ୍ନକ୍ଷମ ଏବଂ କିନ୍ନରଙ୍କ ଷ୍ଟଲ୍‌ର ବ୍ୟବସାୟ ପାଖାପାଖି କୋଟିଏ ଟଙ୍କା ଟପିଛି । ତେବେ ସମୁଦାୟ ଯାତ୍ରାରେ ଆଜି ୪କୋଟିରୁ ଅଧିକ ବ୍ୟବସାୟ ହୋଇଛି । ଶୁକ୍ରବାର ଥିବାରୁ ଖିଆପିଆ ବ୍ୟବସାୟ ଜମିଛି । ଲୋକେ ଉଭୟ ଭେଜ୍‌ ଓ ନନ୍‌ଭେଜ୍‌ ଆଇଟମ୍‌ କିଣି ଖାଇଛନ୍ତି । ଫାଷ୍ଟ୍‌ଫୁଡ୍‌ ସହିତ ଚଟପଟି ଆଇଟମ୍‌ ଯେମିତି ଚାଟ୍‌, ଗୁପ୍‌ଚୁପ୍‌ ଆଦି ଷ୍ଟଲ୍‌ରେ ଯଥେଷ୍ଟ ଅଧିକ ଭିଡ଼ ଲାଗିରହିଥିଲା । ଓରମାସ୍‌ର ଫୁଡ୍‌ କୋଟ୍‌ରେ ବି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଆସନ୍ତାକାଲି ଶନିବାର ଓ ପରଦିନ ରବିବାର ଭିଡ଼ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.