ଲୁଟ୍ ଉଦ୍ୟମ ବିଫଳ ପରେ ଯୁବକଙ୍କୁ ଛୁରାମାଡ କଲେ ଲୁଟେରା, ଖସି ଯିବା ବେଳେ ଧରିଲା ପୋଲିସ
24/06/2022 at 7:30 AM

ବାଲିପାଟଣା, ୨୪|୦୬: ମୋବାଇଲ ଝାମ୍ପି ନେବାକୁ ଚେଷ୍ଟା କଲେ । ବିରୋଧ କରିବାରୁ ଯୁବକଙ୍କ ପେଟକୁ ଛୁରୀରେ ଭୁସୀ ଦେଲେ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା କାକରୁଦ୍ରପୁରରେ ।
ଗୁରୁବାର ବିଳମ୍ବିତ ରାତ୍ରିର ମୋବାଇଲ୍ ଲୁଟିବାକୁ ଆସିଥିବା ୨ ଜଣ ଲୁଟେରାଙ୍କ ଛୁରାମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛୁରା ମାଡ଼ରେ ଯୁବକଙ୍କ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଯୁବକ ହେଉଛନ୍ତି କାକରୁଦ୍ରପୁରର ସିକୁନ୍ ପଣ୍ଡା ।
ସୂଚନାନୁସାରେ, ସିକୁନ ଗାଁ ପାଖ ଶଙ୍ଖ ରେ ମୋବାଇଲ୍ ଦେଖୁଥିବା ବେଳେ ଦୁଇ ଲୁଟେରୋ ଏକ ବାଇକ୍ ରେ ଆସି ତାଙ୍କ ମୋବାଇଲ୍ ଛଡାଇ ଥିଲେ । ସିକୁନ ବିରୋଧ କରିବାରୁ ଲୁଟେରା ଦ୍ଵୟ ତାଙ୍କ ପେଟରେ ଛୁରୀ ଭୁସୀ ଦେଇଥିଲେ । ପାଖରେ ଥିବା କିଛି ଯୁବକ ପହଁଞ୍ଚି ଯିବାରୁ ଲୁଟେରା ଦ୍ଵୟ ବାଇକ୍ ଛାଡି ଫେରାର ହୋଇ ଯାଇଥିଲେ । ପରେ ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଁଞ୍ଚିବା ଦୁର୍ବୃତ୍ତ ମାନଙ୍କୁ ପୋଲିସ ସହାୟତାରେ ଖୋଜା ଖୋଜି କରିଥିଲେ । ତେବେ ଏକ କାରରେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା ।