୩୪ ଏକର ଭିତରେ ସୀମିତ ରହିବ ବାଲିଯାତ୍ରା, ସଂପ୍ରସାରିତ କରିବାକୁ ହେଲେ ଅନୁମତି ଲୋଡା

Published By : Prameya-News7 Bureau | September 23, 2022 IST

କଟକ ୨୩।୦୯ : ୩୪ ଏକର ଜାଗା ଭିତରେ ସୀମିତ ରହିବ ବାଲିଯାତ୍ରା । ବାଲିଯାତ୍ରାକୁ ସଂପ୍ରସାରିତ କରିବାକୁ ହେଲେ ଅନୁମତି ଲୋଡା । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ଏହାସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ । ମହାନଦୀ ପଠାକୁ ବ୍ୟବସାୟିକ କାର୍ଯ୍ୟରେ ଲଗାଯାଇପାରିବ ନାହିଁ ବୋଲି NGT ନିର୍ଦ୍ଦେଶ ଦେଇଛନ୍ତି  ।

ଖବର ଅନୁଯାୟୀ, ପୂର୍ବରୁ ଅଧିକ ଜାଗାରେ ବାଲିଯାତ୍ରା କରିବାକୁ କଟକ ପ୍ରଶାସନ ଚିନ୍ତା କରୁଥିଲା । କିନ୍ତୁ ଏତେ ପରିମାଣର ଜାଗାରେ ବାଲିଯାତ୍ରା କରିବାକୁ ଏନ୍‌ଜିଟି ଅମଙ୍ଗ ହୋଇଥିଲେ । ଏପିରିକି କିଛି ମାସ ତଳେ ଏନଜିଟିଙ୍କ ଦ୍ଵାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି କଟକର ବିଭିନ୍ନ ସ୍ଥାନ ବୁଲି ମହାନଦୀର ସ୍ଥିତି ଅନୁଧ୍ୟାନ କରିଥିଲେ । ଯୋବ୍ରା ଠାରୁ ଗଡଗଡିଆ ଘାଟ ଭିତରେ ଥିବା ୪୨୬ ଏକର ପରିମିତ ପଠାକୁ ବିଶେଷଜ୍ଞ କମିଟି ବିଶେଷ ଭାବେ ଅନୁଧ୍ୟାନ କରିଥିଲା । ଉକ୍ତ ସ୍ଥାନକୁ ବାଲି ଦ୍ଵାରା ପୋତିଦିଆ ଯାଇଥିବା ହେତୁ , ଜୈବ ମଣ୍ଡଳ ପ୍ରଭାବିତ ହୋଇଛି , ପରିବେଶ ପ୍ରଦୂଷିତ ହୋଇଛି । ତେଣୁ ଏହା ସମ୍ପୂର୍ଣ ବେଆଇନ ବୋଲି କମିଟି ତା ରିପୋର୍ଟରେ ଉଲ୍ଲେଖ କରିଥିଲେ । ତେଣୁ ଆଗକୁ ମହାନଦୀର ଆଉ କୌଣସି ପଠାକୁ ନପୋତିବା ଏବଂ ବାଲିଯାତ୍ରା ପାଇଁ ୩୪ ଏକର ଜାଗାକୁ ଛାଡି ଅବଶିଷ୍ଟ ନଦୀ ପଠାରେ ବୃକ୍ଷ ରୋପଣ କରିବାକୁ କମିଟି ପ୍ରସ୍ତାବ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.