ଦିନ ସାଢେ ୧୧ ସୁଦ୍ଧା ୪୦ ଡିଗ୍ରୀ ଛୁଇଁଲାଣି ତାତି, ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ରେକର୍ଡ

Published By : Prameya-News7 Bureau | April 17, 2024 IST

ଭୁବନେଶ୍ବର ୧୭।୪: ତାତିରୁ ନାହିଁ ଆଶ୍ବସ୍ତି । ପ୍ରଚଣ୍ଡ ରୌଦ୍ର ତାପରେ ଛଟପଟ ଲୋକେ । ଘରେ ରହିବା ହେଉଛି ମୁସକିଲ୍ ବାହାରକୁ ବାହାରିଲେ ଜଳିଯାଉଛି ଦେହ । ଏବେ ଜଳୁଛି ଆଗକୁ ଆହୁରି ଭୟଙ୍କର ହେବ । ଦିନ ସାଢେ ୧୧ ସୁଦ୍ଧା ୪୦ ଡିଗ୍ରୀ ଛୁଇଁଲାଣି ତାପମାତ୍ରା । ପାଣିପାଗ ବିଭାଗର ରେକର୍ଡ ତାପମାତ୍ରା ଅନୁଯାୟୀ ସାଢେ ୧୧ଟା ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ୪୦ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ଭୁବନେଶ୍ବରରେ ୩୯.୯, ଚାନ୍ଦବାଲିରେ ୩୯.୪, ଝାରସୁଗୁଡ଼ାରେ ୩୮. ୮, ସମ୍ବଲପୁରରେ ୩୮.୩, ହୀରାକୁଦରେ ୩୮.୨, କେନ୍ଦୁଝରେର ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେପଟେ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ କଲେ ସରକାର । ଚଳିତ ଏପ୍ରିଲ ୧୮ ରୁ ୨୦ ତାରିଖ ଯାଏଁ ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ସ୍କୁଲ ଗୁଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । 

ଗ୍ରୀଷ୍ମ ପ୍ରବାହର ପ୍ରକୋପ ଆହୁରି ଭୟଙ୍କର ହେବ । ୪ ଦିନ ଯାଏ ପ୍ରଚଣ୍ଡରୁ ପ୍ରଚଣ୍ଡତର ହେବ ଗ୍ରୀଷ୍ମ ପ୍ରବାହ । ୧୮ ଓ ୧୯ ତାରିଖରେ ୪୫ ଡିଗ୍ରୀ ସେଲ୍‌ସିୟସ୍‌ ଡେଇଁଯିବ ଦିନ ତାପମାତ୍ରା । ଅବିରତ ନିଆଁ ବର୍ଷା ଲାଗି ରହିବ । ରାତିରେ ମିଳିବ ନାହିଁ ଆଶ୍ୱସ୍ତି । ତତଲା ହାୱା ପ୍ରବାହିତ ହେବ । ଏମିତି ଭୟାନକ ସତର୍କ ଘଣ୍ଟି ବଜାଇଛି ପାଣିପାଗ ବିଭାଗ । ପୂର୍ବାନୁମାନ ଅନୁଯାୟୀ, ବୁଧବାର ବାରିପଦା, ବଲାଙ୍ଗୀର, ଟିଟିଲାଗଡ଼, ମାଲକାନଗିରି, ନୟାଗଡ଼ ଓ ବୌଦ୍ଧରେ ତାତି ୪୩ ଡିଗ୍ରୀ ଛୁଇଁପାରେ । ୧୮ରେ ଟିଟିଲାଗଡ଼, ବୌଦ୍ଧ ଓ ଝାରସୁଗୁଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁବା ସହ ତତଲା ଅଞ୍ଚଳ ପାଲଟିବ । ସୋନପୁର, ମାଲକାନଗିରି ଓ ବାରିପଦାରେ ତାତି ୪୪ ଡିଗ୍ରୀ ଛୁଇଁବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବି ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମଲହରୀ ବହିବ । ୧୯ ତାରିଖରେ ମାଲକାନଗିରି, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା ଓ ଭବାନୀପାଟଣାରେ ତାତି ୪୫ ଡିଗ୍ରୀ ଛୁଇଁଯିବ । ବାରିପଦା, ନୂଆପଡ଼ା, ସୋନପୁରରେ ୪୪ ଛୁଇଁବ । ୨୦ରେ ବି ତାତି କମିବାର ସମ୍ଭାବନା ଦିଶୁନି, ସେମିତି ଜଳିବ । ୧୭ରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ନୟାଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି, ଅନୁଗୁଳ ଓ ବୌଦ୍ଧରେ ଗ୍ରୀଷ୍ମପ୍ରବାହ ବହିପାରେ । ଉପକୂଳ ଓଡ଼ିଶାର ସବୁ ସ୍ଥାନରେ ଅସମ୍ଭାଳ ତାତି ଓ ଗୁଳୁଗୁଳି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୮ ଓ ୧୯ରେ ବି ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ବହିବ । 

You Can Read :

ଆସିଲା ବିଜେଡିର ପ୍ରାର୍ଥୀ ତାଲିକା, କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 

  • Heat Wave
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.