ବ୍ରାହ୍ମଣୀ ନାଳ ଓ ବଇଙ୍ଗା ନଦୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ, ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ

Published By : Prameya-News7 Bureau | August 12, 2022 IST

ବାଂଶପାଳ ୧୨।୮: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ୪ଦିନ ଧରି ଲଗାଣ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାରା ରାଜ୍ୟରେ ବର୍ଷା ଲାଗିରହିଥିବା ବେଳେ ବାଂଶପାଳରେ ମଧ୍ୟ ବର୍ଷା ବିତ୍ପାତ ଘଟାଇଛି । ଝିପି ଝିପି ବର୍ଷା ଲାଗି ରହିଛି । ଲଘୁଚାପ ଜନିତ ବର୍ଷା ଲାଗି ରହିବା ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ବ୍ଲକର କେନ୍ଦୁଘଟି, ମେରେଇ ସାହି ଆଦି ଗାଁର ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । କେନ୍ଦୁଘଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । କେନ୍ଦୁଘଟି ଗାଁ ପାଣି ଘେରରେ ଥିବାରୁ ଲୋକେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି ।

ସେହିପରି ଅଁରା ବ୍ରାହ୍ମଣୀ ନାଳ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଅଁରା, ରାଇଗୋଡା, ବିନିଦା, ଆମୁଣି ସମେତ ୮/୧୦ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲୋକେ ଯାତାୟତ କରିପାରୁନାହାନ୍ତି । ରାସ୍ତାର ଦୁଇ ପାର୍ଶ୍ଵରେ ଗାଡି ମୋଟର ଅଟକି ରହିଛି ।

ସେହିପରି ନୟାକୋଟ ବଇଙ୍ଗା ନଦୀ ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରଭାବିତ ହେବା ଯୋଗୁଁ ସୁଆକାଟି, ଦବୁନା, କାଦକଳା, ବସନ୍ତପୁର, ଜମ୍ଭିରିପଶି ଆଦି ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଯାତାୟତ ବାଧାପ୍ରାପ୍ତ ହେବା ସହ ଦିନ ତମାମ ଯାତ୍ରୀମାନେ ଅଟକି ରହିଛନ୍ତି । ଲୋକେ ଲଗାଣ ବର୍ଷାରେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.