ଉପର ମୁଣ୍ଡରେ ପ୍ରବଳ ବର୍ଷା, ସପ୍ତାହରେ ୨ୟ ଥର ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ
21/08/2022 at 7:51 AM

ଭଦ୍ରକ ୨୧।୦୮: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ଉବୁଟୁବୁ ଭଦ୍ରକ। ସପ୍ତାହରେ ଦ୍ଵିତୀୟ ଥର ପାଇଁ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ରବିବାର ସକାଳ ୫ଟା ସୁଦ୍ଧା ଜଳସ୍ତର ୧୮.୭୫ ମିଟର ରହିଛି।

ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର ବଢିଛି। ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କପାଳୀ, ଗେଙ୍ଗୁଟି, କୋଚିଳା, ଯଅ ଆଦି ନଦୀର ଜଳସ୍ତର ବଢିଛି। ଭଦ୍ରକ ଜିଲ୍ଲାର ଧାମନଗର , ଭଣ୍ଡାରିପୋଖରୀ, ତିହିଡି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ବନ୍ୟାଦ୍ବାରା ପ୍ରଭାବିତ ହେବ।

ତେବେ ପୂର୍ବ ବନ୍ୟାର ପାଣି ସମ୍ପୂର୍ଣ୍ଣ ନିଷ୍କାସିତ ହୋଇନଥିବା ବେଳେ ଏବେ ପୁଣି ବୈତରଣୀ ରେ ବନ୍ୟା ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି। ଚାଷ ଜମି ଗୁଡିକରୁ ବନ୍ୟା ପାଣି କମ ହୋଇନଥିବା ବେଳେ ପୁଣି ବିଭିନ୍ନ ଏସକେପ୍ ଦେଇ ବନ୍ୟା ଜଳ ଚାଷ ଜମିକୁ ମାଡିଛି। ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି କୁ ଦେଖି ଓଡ୍ରାଫର ୨ଟି, NDRFର ୨ଟି ଏବଂ ଅଗ୍ନିଶମ ବାହିନୀର ୮ଟି ଟିମ୍ ମୁତୟନ ହୋଇଛନ୍ତି।