ବିପଦ ସଙ୍କେତ ତଳେ ବୈତରଣୀ, ତଳିଆ ଅଞ୍ଚଳରୁ ଛାଡିନି ବନ୍ୟାଜଳ

Published By : Prameya-News7 Bureau | August 23, 2022 IST

ଭଦ୍ରକ ୨୩।୮: ଉପର ମୁଣ୍ଡରେ ବୈତରଣୀ ନଦୀର ବନ୍ୟାଜଳ ପ୍ରବାହ କମି ଯାଇଛି କିନ୍ତୁ ଏବେ ମଧ୍ୟ ତଳିଆ ଅଞ୍ଚଳରେ ବନ୍ୟାଜଳ ଛାଡି ନାହିଁ । ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ତଳିଆ ଅଂଚଳ ସହିତ ତିହିଡି ବ୍ଲକର କେତେକ ତଳିଆ ପଂଚାୟତରେ ବନ୍ୟାଜଳ ମାଡି ରହିଛି ।

ଅନ୍ୟପକ୍ଷରେ ବୈତରଣୀ ନଦୀ ସୋମବାର ରାତିରୁ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟଠାରେ ବିପଦ ସଂକେତ ୧୭.୮୩ ମିଟର ଥିଲା ବେଳେ ବର୍ତ୍ତମାନ ଏହା ୧୭.୫୬ମିଟର ଉପରେ ପ୍ରବାହିତ ହେଉଛି । ତେଣୁ ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ବନ୍ୟା ପାଣି କମି ଯାଇଛି । କିନ୍ତୁ ଧାମନଗର ବ୍ଲକର ପଧାନୀ, ସୋହଡା, ଅର୍ଜୁନପୁର, ହସନବାଦ ପଞ୍ଚାୟତ ଏବଂ ତିହିଡି ବ୍ଲକର ବୋଡ଼କ, ଶ୍ୟାମସୁନ୍ଦରପୁର ଆଦି ପଞ୍ଚାୟତବାସୀ ଏବେ ମଧ୍ୟ ବନ୍ୟା ଘେରରେ ଅଛନ୍ତି । ଏବେବି ଅନେକ ଗାଁ ଭିତରେ ବନ୍ୟା ପାଣି ରହିଛି । ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡିଯିବା ଯୋଗୁଁ ଖରିଫ ଧନ ଚାଷ ନଷ୍ଟ ହୋଇଯାଇଛି । 

ଗୌରାଙ୍ଗପୁର ଏସକେପ୍ ଏବଂ ମଲ୍ଲୀ ମାହାରା ଏସକେପ୍‌ରୁ ଏବେ ସୁଦ୍ଧା ବନ୍ୟାଜଳ ନିଷ୍କାସିତ ହେଉଛି । ତେଣୁ ଏବେବି ଅନେକ ପଞ୍ଚାୟତର ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି । ଅନେକ ଗାଁ ରାସ୍ତା ଉପରେ ପାଣି ଚାଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦିନ ହେଲା ଶୁଖିଲା ଖାଦ୍ୟ ବିପନ୍ନ ଲୋକଙ୍କୁ ଦିଆ ଯାଉଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.