ବୈତରଣୀରେ ପାଣି କମୁଛି, ଆଖୁଆପଦାରେ ବିପଦ ସଙ୍କେତ ତଳେ ଜଳସ୍ତର

Published By : Prameya-News7 Bureau | August 29, 2020 IST

ଭଦ୍ରକ, ୨୯|୦୮: ଗତ କିଛି ଦିନ ଧରି ଚାଲିଥିବା ଲଘୁଚାପ ଦୁର୍ବଳ ହୋଇଛି । ବର୍ଷା ମଧ୍ୟ କମିଛି । ତେବେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ଧିରେ ଧିରେ ଜଳସ୍ତର କମିବାରେ ଲାଗିଛି । ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀ ଏବେ ବିପଦ ସଙ୍କେତ ତଳକୁ ଖସିଛି ।

ବୈତରଣୀ ନଦୀ ଭଦ୍ରକ ଜିଲ୍ଲାରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଜିଲ୍ଲାର ଆଖୁଆପଦା ଠାରେ ବିପଦ ସଂକେତ ତଳକୁ ଖସିଛି ବୈତରଣୀ । ନଦୀର ବନ୍ୟାଜଳ ବିପଦ ସଂକେତ ୧୭.୮୩ ଥିବା ବେଳେ ବର୍ତ୍ତମାନ ଏହା ୧୭.୭୯ରେ ପ୍ରବାହିତ ହେଉଛି ।

ଭଦ୍ରକ ଜ଼ିଲ୍ଲାର ମୁଖ୍ୟତଃ ୪ଟି ବ୍ଲକରେ ବନ୍ୟା  ତାର ପ୍ରଳୟ ରଚାଇଛି । ଖାସ୍‌ କରି ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ତଳି ଅଞ୍ଚଳରେ ବନ୍ୟା ପାଣି ପଶି ଅନେକ କ୍ଷୟକ୍ଷତି କରିଛି । ବୈତରଣୀର  ଉପର ମୁଣ୍ଡରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ତଳ ମୁଣ୍ଡରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି । ଧାମନଗର ବ୍ଲକର ହସନାବାଦ, ସୋହଡା, ନଦିଗାଁ, କରଦା, ଦିହୁଡ଼ି ଆନନ୍ଦପୁର, ଦୋବଲ, ବୟାଙ୍ଗଡିହ, କୋଠାର, ଅସୁରାଳି ସମେତ ଅନେକ ପଞ୍ଚାୟତ ଏବେ ଜଳବନ୍ଦୀ ।

ଭଣ୍ଡାରିପୋଖରୀ ବ୍ଲକର ବାଲି ପୋଖରୀ, ଷୋଳମପୁର, କୂରିଗାଁ, ରହଣିଆ, ମାଳଦା ସହ ଅନେକ ପଞ୍ଚାୟତରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ତିହିଡି ବ୍ଲକରେ ବନ୍ୟାରେ କାଁପଡ଼ା, ଵିଲଣା, ବାରୋ ସମେତ ଅନେକ ପଞ୍ଚାୟତର ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି । ଓଡ୍ରାଫ , ଏନଡ଼ିଆରଏଫ ଓ ଅଗ୍ନିଶମ ବାହିନୀ ବନ୍ୟା ଘେରରୁ ଯୁଦ୍ଧ କାଳୀନ ଭିତ୍ତିରେ ଲୋକ ମାନଙ୍କୁ ଉଦ୍ଧାର କରୁଛନ୍ତି । ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଛି। ଏବେବି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ଚାଲୁଥିବାରୁ ଯୋଗାଯୋଗ ବିଛିନ୍ନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.