ଲର୍ଡ୍ସ ଟେଷ୍ଟରେ ହଙ୍ଗାମା, ପିଚ୍ ଖରାପ କରିବାକୁ ଆସିଥିବା ପ୍ରଦର୍ଶନକାରୀଙ୍କୁ ଉଠାଇ ପଡ଼ିଆରୁ ବାହାର କଲେ ବେୟାରଷ୍ଟୋ, Video
28/06/2023 at 6:13 PM

ଲର୍ଡ୍ସ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେସ୍ ସିରିଜ୍ର ଦ୍ଵିତୀୟ ଟେଷ୍ଟ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଉଛି। ମ୍ୟାଚ୍ ଆରମ୍ଭରୁ ପଡ଼ିଆରେ ଖୁବ୍ ହଙ୍ଗାମା ଦେଖିବାକୁ ମିଳିଛି। ଦୁଇ ପ୍ରଦର୍ଶନକାରୀ ପଡ଼ିଆ ଭିତରକୁ ପଶି ପିଚ୍ ଖରାପ କରିବାକୁ ଉଦ୍ୟମ କରିଛନ୍ତି। ସେହି ସମୟରେ ଜଣେ ପ୍ରଦର୍ଶନକାରୀଙ୍କୁ ବୋହି ଇଂଲଣ୍ଡର ଓ୍ଵିକେଟ୍ କିପର ବ୍ୟାଟର ଜନି ବେୟାରଷ୍ଟୋ ପଡ଼ିଆ ବାହାରେ ଛାଡ଼ିଛନ୍ତି।
ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜେମ୍ସ ଆଣ୍ଡରସନ ପ୍ରଥମ ଓଭର ବୋଲିଂ କରିଥିଲେ। ଏହା ପରେ ଷ୍ଟୁଆର୍ଟ ବ୍ରଡ ଦ୍ଵିତୀୟ ଓଭର ବୋଲିଂ କରିବାକୁ ପ୍ରସ୍ତୁତି କରୁଥିଲେ ଏବଂ କ୍ରିଜରେ ଥିଲେ ଡେଭିଡ୍ ଓ୍ବାର୍ଣ୍ଣର ଓ ଉସ୍ମାନ ଖ୍ଵାଜା। ବ୍ରଡ ପ୍ରଥମ ବଲ୍ ଫିଙ୍ଗିବା ପୂର୍ବରୁ ଦୁଇ ଜଣ ପ୍ରଦର୍ଶନକାରୀ ଅଚାନାକ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଏବଂ ଦୁହିଁଙ୍କ ହାତରେ ଥିଲା ଅରେଞ୍ଜ ପାଉଡର।
Good start to the 2nd test.
— Ashwin 🇮🇳 (@ashwinravi99) June 28, 2023
Bairstow has done some heavy lifting already😂😂 #Ashes2023 pic.twitter.com/f0JcZnCvEr
ଦୁଇ ପ୍ରଦର୍ଶନକାରୀ ପିଚ୍ ଖରାପ କରିବା ଉଦ୍ଦେଶ୍ୟରେ ଆଗକୁ ବଢିଥିଲେ। ଇଂଲଣ୍ଡର ଓ୍ଵିକେଟ୍ କିପର ଜୋନି ବେୟାରଷ୍ଟୋ ଜଣେ ପ୍ରଦର୍ଶନକାରୀଙ୍କୁ ବୋହି ୫୦ ମିଟର ଚାଲି ଚାଲି ପଡ଼ିଆ ବାହାରକୁ ନେଇ ଯାଇଥିଲେ। ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ବେୟାରଷ୍ଟୋଙ୍କ ଜର୍ସି ମଇଳା ହୋଇ ଯାଇଥିଲା। ତୁରନ୍ତ ଡ୍ରେସିଂ ରୁମ୍ ଯାଇ ବେୟାରଷ୍ଟୋ ଜର୍ସି ବଦଳାଇଥିଲେ। ଅନ୍ୟ ପ୍ରଦର୍ଶନକାରୀଙ୍କୁ ଖେଳାଳି ଏବଂ ଗାର୍ଡ ପଡ଼ିଆରେ କାବୁ କରି ନେଇଥିଲେ। ତଥାପି ପ୍ରଦର୍ଶନକାରୀ ଅରେଞ୍ଜ ପାଉଡରକୁ ପିଚ୍ରେ ପକାଇବାକୁ ଚେଷ୍ଟା କରିଥିଲେ ହେଁ ତାହା ପଡ଼ିଆରେ ପଡ଼ିଥିଲା। ଏହା ପରେ ପଡ଼ିଆକୁ ତୁରନ୍ତ ସଫା କରାଯାଇଥିଲା।
ସୂଚନାଯୋଗ୍ୟ, ପଡ଼ିଆକୁ ପଶିଥିବା ୨ ବ୍ୟକ୍ତି ‘ଜଷ୍ଟ ଷ୍ଟପ୍ ଓଏଲ’ ଅଭିଯାନରେ ବିରୋଧ ଜଣାଇବା ପାଇଁ ଏମିତି କରିଛନ୍ତି। ସଂପ୍ରତି ଲଣ୍ଡନରେ ‘ଜଷ୍ଟ ଷ୍ଟପ୍ ଓଏଲ’ ପ୍ରଦର୍ଶନ ଜାରି ରହିଛି। ବ୍ରିଟେନ୍ ସରକାରଙ୍କ ନୂତନ ତୈଳ, ଗ୍ୟାସ୍ ଏବଂ କୋଇଲା ପ୍ରକଳ୍ପକୁ ଲୋକେ ଏହାରି ମାଧ୍ୟମରେ ବିରୋଧ କରୁଛନ୍ତି। ପ୍ରଦର୍ଶନକାରୀଙ୍କ ଦାବି ସରକାର ଯଥା ଶୀଘ୍ର ଏହି ପ୍ରକଳ୍ପ ସଂପର୍କିତ ଲାଇସେନ୍ସ ତୁରନ୍ତ ରଦ୍ଦ କରାଯାଉ।