ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ: ଜାମିନ ଲାଗି କୋର୍ଟରେ ଅଫତାବ ଅମିନ ପୁନାୱାଲାର ଆବେଦନ, ଜାଣନ୍ତୁ କହିଛି କ’ଣ ?
17/12/2022 at 5:18 PM

ନୂଆଦିଲ୍ଲୀ ୧୭।୧୨: ଲିଭ ଇନ୍ ପାର୍ଟନର ଶ୍ରଦ୍ଧା ୱାକରକୁ ହତ୍ୟା ପରେ ୩୫ ଟୁକୁରା କରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିବା ଅଫତାବ ଅମିନ ପୁନାୱାଲା ଶନିବାର କୋର୍ଟରେ ଜାମିନ ନିବେଦନ କରିଛି। ଏଥିରେ ଅଫତାବ ତା କ୍ୟାରିୟର ପ୍ରସଙ୍ଗ ଉଠାଇ କୋର୍ଟଙ୍କୁ ଜାମିନ ନିବେଦନ କରିଛି। ରିପୋର୍ଟ ଅନୁସାରେ ଅଫତାବର ଓକିଲ ଦିଲ୍ଲୀ ସାକେତ କୋର୍ଟରେ ଜାମିନ ପିଟିସନ ଦାଖଲ କରିଛନ୍ତି।
ଜାମିନ ଆବେଦନରେ ଅଫତାବ ମାମଲାର ତଦନ୍ତ ଶେଷ ହୋଇଥିବା ଓ ପୋଲିସ ଏବେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ବାକି ଅଛି ବୋଲି ଉଲ୍ଲେଖ କରିଛି। ଅଫତାବର ଓକିଲ ଅବିନାଶ କୁମାର କୋର୍ଟଙ୍କୁ କହିଛନ୍ତି ଯେ ଅଭିଯୁକ୍ତକୁ ବିଚାରବିଭାଗୀୟ ହାଜତରେ ଅଧିକ କାଳ ରଖିବାର କୌଣସି ଲାଭ ନାହିଁ। ଏଥିରେ ଯଦି ତାର ବିଚାରବିଭାଗୀୟ ହାଜତ ମିଆଦ ବୃଦ୍ଧି କରାଯାଏ ତେବେ ଅଭିଯୁକ୍ତର ଉଭୟ କ୍ୟାରିୟର ଓ ଭବିଷ୍ୟତ ନଷ୍ଟ ହୋଇଯିବ।

ଉଲ୍ଲେଖ ଯୋଗ୍ୟଯେ ଏହା ପୂର୍ବରୁ ଡିସେମ୍ବର ୯ ତାରିଖ ଶୁଣାଣି କାଳରେ କୋର୍ଟ ଅଫତାବର ହାଜତ ମିଆଦ ଆଉ ୧୪ ଦିନ ବଢାଇ ଦେଇଥିଲେ। ଏହି ଶୁଣାଣି କାଳରେ ଦିଲ୍ଲୀ ପୋଲିସ ମାମଲାର ତଦନ୍ତ ଜାରିଥିବା କୋର୍ଟଙ୍କୁ କହିଥିଲେ। ଏଥିରେ ପୋଲିସ ଏବେ ଅଫତାବର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଥିବା ତଥା ଜଙ୍ଗଲରୁ ମିଳିଥିବା ହାଡର ପୋଷ୍ଟମର୍ଟମ ମଧ୍ୟ ହୋଇପାରେ ବୋଲି କହିଥିଲା। କାରଣ ଫରେନସିକ ଲ୍ୟାବ ହାଡରେ ତୀକ୍ଷ୍ଣ ଧାରଥିବା ଅସ୍ତ୍ରରେ କଟା ଯାଇଥିବାର ସନ୍ଦେହ କରିଛନ୍ତି ବୋଲି ପୋଲିସ କହିଛି।
ମାମଲାର ତଦନ୍ତରେ ଏପର୍ଯ୍ୟନ୍ତ ମିଳିଥିବା ସମସ୍ତ ପ୍ରମାଣ ଓ ସାକ୍ଷ ଅଫତାବର ବିରୋଧରେ ଯାଉଥିବା ଏପରିକି ଶ୍ରଦ୍ଧାର ପିତା ଓ ଭାଇଙ୍କ ରକ୍ତ ନମୁନାର ଡିଏନଏ ମେହରଲୀ ଜଙ୍ଗଲରୁ ମିଳିଥିବା ହାଡ ସହ ମ୍ୟାଚ୍ ହୋଇଥିବା ପୋଲିସ କହିଛି। ଉଲ୍ଲେଖଯୋଗ୍ୟ ଯେ ଶ୍ରଦ୍ଧ ମର୍ଡର କେସ୍ରେ କୋର୍ଟ ଟ୍ରାୟଲ ଲାଗି ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ୱ କରିବା ଲାଗି ୨ ଜଣ ଓକିଲଙ୍କ ନିଯୁକ୍ତି ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି। ଏଥିରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ଓକିଲ ମଧୁକର ପାଣ୍ଡେ ଓ ଅମିତ ପ୍ରସାଦ ମାମଲା ପରିଚାଳନା କରିବେ ବୋଲି ଜଣାପଡିଛି।