ସନ୍ଧ୍ୟାରେ ବିଜେପିରେ ଯୋଗଦେବେ ବୈଜୟନ୍ତ !

Published By : Prameya-News7 Bureau | March 04, 2019 IST

ଭୁବନେଶ୍ବର ୪|୩ : ବିଜେପିରେ ଯୋଗ ଦେଇପାରନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ମିଳିଥିବା ସୂଚନା ଅନୁସାରେ ଆଜି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତିରେ ଦିଲ୍ଲୀରେ ହେବ ଏହି ମିଶ୍ରଣ ପର୍ବ। ତେବେ ବୈଜୟନ୍ତ ପଣ୍ଡା କିମ୍ବା ବିଜେପି ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ବିଜେଡିରୁ ନିଲମ୍ବିତ ହେବା ପରେ ୨୦୧୮ ଜୁନ୍ ୧୨ ତାରିଖରେ ସେ କେନ୍ଦ୍ରାପଡା ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସେବେଠୁ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହୋଇ ଆସୁଛି। ତେବେ ଏହି ମିଶ୍ରଣ ପର୍ବ ଆଜି ସଂନ୍ଧ୍ୟାରେ ହୋଇପାରେ ବୋଲି ସୂଚନା ମିଳୁଛି । 

୨୦୧୮ ମେ ୨୮ ତାରିଖରେ ସେ ବିଜେଡି ଛାଡିଥିଲେ । ଦଳ ଛାଡିବା ପରେ ସେ ବିଜେପିରେ ଯୋଗଦେବେ ବୋଲି ବରାବର ଚର୍ଚ୍ଚା ହେଉଥିଲେ ମଧ୍ୟ ବିଜେପିର ଗୋଟିଏ ଗୋଷ୍ଠୀ ତାଙ୍କୁ ଗ୍ରହଣ କରୁନଥିବାରୁ ତାହା ସମ୍ଭବ ହୋଇପାରୁନଥିଲା । ପରେ ବିଜେଡିରୁ ଦାମଦୋର ରାଉତ ବହିସ୍କୃତ ହେବା ପରେ ସେ ଦାମଙ୍କ ସହ ମିଶି ନୂଆ ଦଳ ଗଠନ କରିପାରନ୍ତି ବୋଲି ଆଲୋଚନା ମଧ୍ୟ ହୋଇଥିଲା । ତେବେ ବିଭିନ୍ନ କାରଣ ଯୋଗୁଁ ଏହି ଆଲୋଚନା ବାସ୍ତବ ରୂପ ନେଇନଥିଲା । ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଦଳ ଛାଡିବା ଏବଂ ବ୍ରଜ ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ ମହାମେଣ୍ଟ କରିବା ପାଇଁ ଯେଉଁ ଘୋଷଣା କରିଥିଲା ସେଥିରେ ବୈଜୟନ୍ତଙ୍କ ଭୂମିକା ମଧ୍ୟ ରହିବ ବୋଲି ଚର୍ଚ୍ଚା ହେଉଥିଲା ।

ନିକଟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଓଡିଶା ଆସିଥିବା ବେଳେ ତାଙ୍କୁ ବୈଜୟନ୍ତଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ସାକ୍ଷାତ କରିଥିଲେ । ତେବେ ଏହାପରେ ମଧ୍ୟ ବୈଜୟନ୍ତ ବିଜେପିରେ ଯୋଗଦେବା ସମ୍ଭବ ହୋଇନଥିଲା । ତେଣୁ ବୈଜୟନ୍ତ ହୁଏତ ପୁଣି ବିଜେଡି ମୁହାଁ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା ।

ତେବେ ବିଶେଷ ସୂତ୍ରରୁ ଆଜି ବୈଜୟନ୍ତ ଦିଲ୍ଲୀଠାରେ ବିଜେପିରେ ଯୋଗଦେଉଥିବା ଖବର ପ୍ରଚାରିତ ହେବା ପରେ ହଇଚଇ ସୃଷ୍ଟି ହୋଇଛି । ବିଜେପିର ଗୋଟିଏ ଗୋଷ୍ଠୀ ଏବେବି ତାଙ୍କୁ ବିରୋଧ କରୁଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.