ବୈଜୟନ୍ତ ପଣ୍ଡା ହେଲେ ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ଏବଂ ମୁଖପାତ୍ର
8/03/2019 at 8:13 PM

ଭୁବନେଶ୍ବର୮|୩: ଦୁଇଦିନ ତଳେ ବିଜେପିରେ ଯୋଗ ଦେଇଥିବା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭାରତୀୟ ଜନତା ପାର୍ଟିର ଜାତୀୟ ଉପ ସଭାପତି ଏବଂ ମୁଖପାତ୍ର ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିଯୁକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ବୈଜୟନ୍ତ ୨୦୧୮ ମସିହା ଜୁନ ମାସରୁ ବିଜେଡି ଛାଡିଥିଲେ ମଧ୍ୟ କୌଣସି ଦଳରେ ଯୋଗ ଦେଇନଥିଲେ ।
ଯଦିଓ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଥିଲା କିନ୍ତୁ ସେ ବିଜେପିରେ ଯୋଗ ଦେଉନଥିବା ଯୋଗୁଁ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ବିଜେପିରେ ଯୋଗ ଦେବା ପରେ ବୈଜୟନ୍ତ କହିଥିଲେ ଯେ, ସେ ଗତ ୨୨ ବର୍ଷ ହେଲା ବିଜେପିରେ ଯୋଗ ଦେବା ପାଇଁ ସ୍ବପ୍ନ ଦେଖୁଥିଲେ । ଏବେ ସେ ସ୍ବପ୍ନ ସାକାର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ସେ ବିଜେପିରେ ଯୋଗ ଦେଉଥିବା ବୈଜୟନ୍ତ କହିଥିଲେ ।
ବିଜେପିର ଜାତୀୟ କାର୍ଯ୍ୟାଳୟଠାରେ ଆୟୋଜିତ ମିଶ୍ରଣ ପର୍ବରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ କୌଣସି କାରଣବଶତଃ ଶାହା ଏହି ମିଶ୍ରଣ ପର୍ବରେ ଯୋଗ ଦେଇ ପାରିନଥିଲେ । ଏହାକୁ ନେଇ ମଧ୍ୟ ବିଭିନ୍ନ କଥା ଆଲୋଚନା ହୋଇଥିଲା । କିନ୍ତୁ ଆଜି ବୈଜୟନ୍ତଙ୍କୁ ଦଳର ଉପସଭାପତି ଏବଂ ମୁଖପାତ୍ରଭାବେ ଅମିତ ଶାହା ନିଯୁକ୍ତ କରିବାପରେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି ।