ନୂଆ ସମ୍ବିଧାନ ଫାଇଦା ଦେବ, ଫୁଟବଲ ସଙ୍ଘକୁ ରାଜନୀତିରୁ ମୁକ୍ତ ରଖିବ- ବାଇଚୁଙ୍ଗ୍

Published By : Prameya-News7 Bureau | August 22, 2022 IST

ନୂଆଦିଲ୍ଲୀ, ୨୨|୦୮: ଫିଫା ଗତ ସପ୍ତାହରେ ଭାରତୀୟ ଫୁଟବଲ ଫେଡେରସନକୁ ସସପେଣ୍ଡ୍ କରିଥିଲା । ଯେଉଁଥିପାଇଁ ଭାରତୀୟ ଫୁଟବଲ ଜଗତରେ ଚହଳ ପଡିଯାଇଥିଲା । ଫିଫା ଏହି ପଦକ୍ଷେପ କେବଳ ଏଥିପାଇଁ ନେଇଥିଲା କାରଣ ଫୁଟବଲ ସଂସ୍ଥା ଫିଫା ଓ ଭାରତୀୟ ବୋର୍ଡର ସମ୍ବିଧାନକୁ ସଠିକ ଭାବେ ଲାଗୁ କରିନଥିଲା ।

କିଛିଦିନ ପୂର୍ବରୁ ପ୍ରଶାସନିକ ସମିତି ଅଲ୍ ଇଣ୍ଡିଆ ଫୁଟବଲ ଫେଡେରସନ ପାଇଁ ନୂଆ ସମ୍ବିଧାନ ପ୍ରସ୍ତୁତ କରିଥିଲା । ଏବେ ଏହାକୁ ଲାଗୁ କରିବା ପାଇଁ ବିବାଦ ଚାଲିଛି । ଏହାକୁ ଲାଗୁ କରିବା ପାଇଁ ଅନେକ ବରିଷ୍ଠ ଖେଳାଳି ଆବେଦନ କରିଛନ୍ତି । ଏଥିରେ ପୂର୍ବତନ ଫୁଟବଲର ତଥା ଅଧିନାୟକ ବାଇଚୁଙ୍ଗ୍ ଭୁତିଆ ସାମିଲ ହୋଇଛନ୍ତି ।

ଭୁତିଆଙ୍କ ସମେତ ଅନ୍ୟ ସାତ ଜଣ ଏଆଇଏଫଏଫର ଅଧ୍ୟକ୍ଷ ହେବାକୁ ଆବେଦନ କରିଛନ୍ତି । ଏହାମଧ୍ୟରେ ଭୁତିଆ କହିଛନ୍ତି ଯେ, ଫୁଟବଲ ସଙ୍ଘ ମାମଲାରେ ହସ୍ତକ୍ଷେପ ପାଇଁ ଆବେଦନ ହୋଇଛି । ସମ୍ବିଧାନକୁ ସ୍ୱୀକାର କରିଦେବା ଦରକାର । କାରଣ ସମ୍ବିଧାନରେ ନୂଆ ଖେଳାଳିଙ୍କ ସହ ପୁରୁଣା ଖେଳାଳିଙ୍କ କଥା ମଧ୍ୟ ବିଚାରକୁ ନିଆଯାଇଛି ।ସେମାନଙ୍କ ହିତ ବାବଦରେ ଚିନ୍ତା କରାଯାଇଛି ।

ସେ ଆହୁରି କହିଛନ୍ତି ଯେ, ସମ୍ବିଧାନର ଲକ୍ଷ୍ୟ ଦୀର୍ଘଦିନ ଧରି ଏଠାରେ ଆଡ୍ଡା ଜମାଇଥିବା କିଛି ଲୋକ ଓ ନେତାଙ୍କୁ ହଟାଇବା । ସୁପ୍ରିମକୋର୍ଟ ଅଗଷ୍ଟ ତିନି ତାରିଖରେ ଯେଉଁ ଆଦେଶ ଜାରି କରିଥିଲେ ତାକୁ ଲାଗୁ କରିବାକୁ ହେବ । କାରଣ ଆଦେଶରେ କୋର୍ଟ ୩୬ ସଦସ୍ୟ ବିଶିଷ୍ଟ କମିଟି ସାଧାରଣ ସଭା ଭାବେ କାମ କରିବ ବୋଲି କହିଥିଲେ । କମିଟି ନିର୍ବାଚନରେ ମଧ୍ୟ ସାମିଲ ହେବ ।

ବାଇଚଙ୍ଗ୍ ଆହୁରି କହିଛନ୍ତି ଯେ, ସମାନ ଭୋଟ ବ୍ୟବସ୍ଥା ଭାରତୀୟ ଫୁଟବଲକୁ ଆହୁରି ମଜବୁତ କରିବ । ନୂଆ କମିଟି ପରିବର୍ତ୍ତନ, ବିକାଶ ଦିଗରେ କାମ କରିବ । ଏହାସହ ସେ କୋର୍ଟରେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ଫୁଟବଲ ସଙ୍ଘରୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.