ସରିଛି ହେରାପଞ୍ଚମୀ ନୀତି, ଶରଧାବାଲିରେ ଦକ୍ଷିଣମୋଡ଼ ହେବ ତିନି ରଥ
25/06/2023 at 7:50 AM

ପୁରୀ ୨୫।୦୬: ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଲୀଳାଖେଳ କରୁଥିବା ମହାପ୍ରଭୂ ବାହୁଡ଼ା ଯାତ୍ରା ପାଇଁ ସଜବାଜ ହେଲେଣି । ରବିବାର ଶରଧାବାଲିରେ ୩ ରଥ ଦକ୍ଷିଣ ମୋଡ ହେବ । ଏହାଆଗରୁ ୩ ରଥର ଯାଞ୍ଚ ସରିଛି । ନନ୍ଦିଘୋଷ ରଥର ଚକରେ ୪ଟି କ୍ଲାମ୍ପ ଲାଗିଛି । ରଥ ଦକ୍ଷିଣ ମୋଡରେ ଶ୍ରୀଗୁଣ୍ଡିଚା ଘର ସିଂହଦ୍ବାର ସମ୍ମୁଖରୁ ତିନି ରଥ ଟଣା ହୋଇ ନାକଚଣା ଦ୍ବାରକୁ ଆସିବେ । ଦକ୍ଷିଣ ମୋଡ଼ ପରେ ତିନି ରଥର ରୁଟିନ୍ ଚେକଅପ୍ ହେବ ।
ସେପଟେ ଶନିବାର ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ଶେଷ ହୋଇଛି । ବିଧି ଅନୁଯାୟୀ ଶରଧାବାଲିରେ ବିଜେ କରିଥିଲେ ମହାଲକ୍ଷ୍ମୀ । କ୍ରୋଧ ଜର୍ଜରିତ ହୋଇ ନନ୍ଧିଘୋଷ ରଥ ଭାଙ୍ଗିଲେ । ଏହାପରେ ମହାପ୍ରଭୂଙ୍କ ଆଜ୍ଞାମାଳ ପାଇ ହେରାଗୌରୀ ସାହି ଦେଇ ମାଆ ଲକ୍ଷ୍ମୀ ସାଆନ୍ତାଣି ଶ୍ରୀମନ୍ଦିରକୁ ଫେରି ଆସିଥିଲେ ।

ତେବେ ଏହାପରେ ମହାପ୍ରଭୂ ଶ୍ରୀମନ୍ଦିର ବାହୁଡିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀଜିଉମାନେ ଏବେ ଆଡ଼ପ ମଣ୍ଡପରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ସମାଗମ ହେଉଛି। ଭକ୍ତମାନେ ଦୀର୍ଘ ସମୟ ଅପେକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।
ଦର୍ଶନକୁ ଶୃଙ୍ଖଳିତ କରିବାପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବାରିକେଡ୍ କରାଯାଇଛି। ଏହାରି ମଧ୍ୟରେ ପ୍ରଶାସନ ପକ୍ଷରୁ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ୨୭ ତାରିଖ ଦିନ ଆଡ଼ପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ। ଆସନ୍ତା ମଙ୍ଗଳବାର ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତ ପ୍ରବେଶ କରିପାରିବେ ନାହିଁ।