ପୁରୀ ୧୯।୦୭: ରାତି ପାହିଲେ ବାହୁଡା । ଶ୍ରୀଗୁଣ୍ଡିଚା ଆଗରେ ଦଣ୍ଡାୟମାନ ଅଛନ୍ତି ୩ରଥ । ଏଥର ରଥ ଉପରେ ଶ୍ରୀଜିଉଙ୍କ ମନ ପୁରାଇ ଦେଖିପାରିଲେନି ଭକ୍ତ । ତେବେ ରଥକୁ ଟିକିଏ ଛୁଇଁବାକୁ ମନ ବଲାଇଛନ୍ତି ଭକ୍ତ । କିନ୍ତୁ ବଡଦାଣ୍ଡରେ ଲାଗିଛି କଟକଣା । ରଥ ଚାରିପଟେ ଘେରାଯାଇଛି ବ୍ୟାରିକେଡ୍ । ଏହି ବ୍ୟାରିକେଡ ପାଖକୁ ଗଲେ ଘଉଡ଼ାଉଛି ପୋଲିସ । ବଡଦାଣ୍ଡରେ କଡା ପୋଲିସ ପହରା ସାଙ୍ଗକୁ ଜାରି ରହିଛି କଡାକଡ଼ି ଚେକିଂ। ଆଜି ରାତି ୮ରୁ ପୁରୀ ସହରରେ କର୍ଫ୍ୟୁ ଲାଗୁ ହେବ ।
ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି। ଜୁଲାଇ ୨୦ରେ ବାହୁଡାଯାତ୍ରା ଓ ୨୧ରେ ସୁନାବେଶ । ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ଗଡ଼ିବ ତିନି ରଥ। ଶ୍ରୀଗୁଣ୍ଡିଚା ପରି କରୋନା କଟକଣାରେ ହିଁ ହେବ ବାହୁଡ଼ା ଯାତ୍ରା। କଟକଣା ପାଇଁ ଭଗବାନଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ। ଆଜି ଶେଷ ଆଡ଼ପ ଅଭଡ଼ା ମିଳିବ। ତେବେ ବାହୁଡ଼ା ଦଶମୀ ପାଇଁ ତିନି ରଥ ପ୍ରସ୍ତୁତ । ଭୋଇ ସେବକଙ୍କ ସହ ବିଶ୍ବକର୍ମା ଏବଂ ପୂର୍ବତଟ ରେଲଓ୍ବେ ଅଧିକାରୀ ରଥ ଯାଞ୍ଚ କରିବା ସହ ମୋଡ ଦେଇଛନ୍ତି।
ସେହିପରି କରୋନା କଟକଣା ପାଇଁ ଅଭେଦ୍ୟ ଦୁର୍ଗରେ ପରିଣତ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ। ପୁରୀ ଏସପି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିବା ବେଳେ ବଡ଼ଦାଣ୍ଡରେ ବନ୍ଦ ରହିବ ସମସ୍ତ ପ୍ରତିଷ୍ଠାନ। ଏପରିକି ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ କୌଣସି ବସ କିମ୍ବା ଟ୍ରେନ ପ୍ରବେଶ କରିପାରିବ ନାହିଁ।