ବ୍ରିଟେନ୍‌ ପରେ ଫାଇଜର କରୋନା ଟିକା ବ୍ୟବହାରକୁ ଅନୁମତି ଦେଲା ବାହାରିନ୍‌, ପୂର୍ବରୁ ଚୀନରୁ ଆଣିସାରିଛି ଭ୍ୟାକ୍‌ସିନ୍‌

Published By : Prameya-News7 Bureau | December 05, 2020 IST

ନୂଆଦିଲ୍ଲୀ ୦୫/୧୨: କରୋନା ମହାମାରୀ ପାଇଁ କେବେ ଆସିବ ଟିକା ? ବିଶ୍ବରେ ଅନକେ ଦେଶର ଲୋକ ଏଭଳି ପ୍ରଶ୍ନ ପଚାରୁଥିବା ବେଳେ ବ୍ରିଟେନ୍‌ ଓ ଋଷ ଭଳି ଦେଶ ଟିକାକରଣ ପାଇଁ ଅନୁମତି ଦେଇସାରିଛନ୍ତି। ବ୍ରିଟେନ୍‌ ଫାଇଜ୍‌ର ଟିକା ଓ ଋଷ ନିଜର ସ୍ପୁଟନିକ୍‌-ଭିର ସାମୂହିକ ପ୍ରୟୋଗକୁ ଅନୁମତି ଦେଇଛନ୍ତି। ଫାଇଜର ଟିକା ଏବେ ସଫଳତା ପଥରେ ଅଗ୍ରସର ହେଉଥିବା ଜଣାପଡ଼ିଛି। ଫାଇଜର ବ୍ୟବହାରକୁ ବ୍ରିଟେନ୍‌ ଅନୁମତି ଦେଇଥିବା ବେଳେ ଏବେ ବାହାରିନ୍‌ ଦ୍ବିତୀୟ ଦେଶ ଭାବେ ଏହି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛି।

ଆମେରିକୀୟ ଟିକା ପ୍ରସ୍ତୁତ କମ୍ପାନୀ ଫାଇଜର ଓ ସହଯୋଗୀ ଜର୍ମାନ ବାୟୋଏନ୍‌ଟେକ୍‌ କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାରକୁ ବାହାରିନ୍‌ ଅନୁମତି ଦେଇଛି। ଫାଇଜର ଟିକାର ସଫଳତାକୁ ସମୀକ୍ଷା କରିବା ସହ ବହୁ ବିଚାର ବିମର୍ଶ ପରେ ଏହାକୁ ଅନୁମତି ଦିଆଯାଇଥିବା ବାହାରିନ୍‌ ସରକାର କହିଛନ୍ତି ବୋଲି ସେଠକାର ଏକ ସରକାରୀ ଖବର କାଗଜରେ ଖବର ପ୍ରକାଶ ପାଇଛି।

ତେବେ ଟିକାକରଣ କେବେଠୁ ଆରମ୍ଭ ହେବ ଓ କେତେ ଡୋଜ୍‌ ଟିକା ସରକାର କ୍ରୟ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ବାହାରିନ୍‌ ସହ ଭ୍ୟାକସିନ୍‌ ବୁଝାମଣା ଗୁପ୍ତ ବୋଲି ଫାଇଜର ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ବାହାରିନ୍‌ ଚୀନ ନିର୍ମିତ କରୋନା ଭ୍ୟାକସିନ୍‌ ‘ମାଇନୋଫାର୍ମ’କୁ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଥିଲା। ଏହା ସହ ୬୦୦୦ ଲୋକଙ୍କୁ ଏହି ଟିକା ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଫାଇଜର ଟିକା ତୃତୀୟ ଚରଣ ଟ୍ରାଏଲ୍‌ରେ ୯୫ ପ୍ରତିଶତ ସଫଳ ହୋଇଥିବା ବେଳେ ଏହାକୁ ମାଇନସ୍‌ ୭୦ ଡିଗ୍ରିରେ ଷ୍ଟୋର କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.