ବାହାନଗା ଟ୍ରେନ ଟ୍ରାଜେଡି: ଖଡ଼ଗେ, ମମତା ଏବଂ ପବନ ବଂଶଲ, ସିବିଆଇ ତଦନ୍ତକୁ କାହିଁକି ବିରୋଧ କରୁଛନ୍ତି ପୂର୍ବତନ ରେଳ ମନ୍ତ୍ରୀ ?
6/06/2023 at 5:42 PM

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ବାହାନଗାରେ ଘଟିଥିବା ଭୟାନକ ଟ୍ରେନ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଛି। ଘଟଣାର ୫୧ ଦିନ ପରେ ଦୁର୍ଘଟଣାଗ୍ରସ୍ତ ରୁଟ୍ରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି। ସେପଟେ ୫ ଦିନ ହେବ ରେଳ ଦୁର୍ଘଟଣାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇ ଉଠିଛି। ବିରୋଧୀମାନେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛନ୍ତି। ରେଲଓ୍ଵେ ବୋର୍ଡ ପୂରା ଘଟଣାକ୍ରମର ସତ୍ୟତା ସାମ୍ନାକୁ ଆଣିବା ପାଇଁ ସିବିଆଇ ତଦନ୍ତ ସୁପାରିସ୍ କରିଛି। ମଙ୍ଗଳବାର ସିବିଆଇ ଟିମ୍ ବାହାନଗା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଏହା ମଧ୍ୟରେ ଦେଶର ଅନେକ ପୂର୍ବତନ ରେଳମନ୍ତ୍ରୀ ସିବିଆଇ ତଦନ୍ତର ବିରୋଧ କରିଛନ୍ତି।

ଏହି ଦୁର୍ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି। କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ମଧ୍ୟ ସିବିଆଇ ତଦନ୍ତକୁ ନେଇ କେନ୍ଦ୍ର ସରକାରଙ୍କୁ ନିଶାଣ କରିଛନ୍ତି। ସେ କହିଛନ୍ତି ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ରେଲଓ୍ଵେ ସୁରକ୍ଷା ଆୟୋଗଙ୍କ ରିପୋର୍ଟ ଆସିବା ପୂର୍ବରୁ ସିବିଆଇ ତଦନ୍ତ ଘୋଷଣା କରି ଦିଆଗଲା। କେବଳ ଖବର କାଗଜର ଶିରୋନାମାରେ ରହିବା ପାଇଁ ସରକାର ଏମିତି କରୁଛନ୍ତି। ସେ ତଥ୍ୟ ମଧ୍ୟ ଦେଇଛନ୍ତି। ତାହା ଅନୁଯାୟୀ…
୨୦୧୬ ନଭେମ୍ବର ୨୦- ଇନ୍ଦୋର-ପାଟନା ଏକ୍ସପ୍ରେସ୍ କାନପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୫୦ରୁ ଉର୍ଦ୍ଧ୍ଵ ଲୋକଙ୍କ ପ୍ରାଣହାନୀ ଘଟିଥିଲା।
୨୦୧୭ ଜାନୁଆରୀ ୨୩- ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ପତ୍ର ଲେଖି ଦୁର୍ଘଟଣାରେ ଏନଆଇଏ ତଦନ୍ତ ଦାବି କରିଥିଲେ।
୨୦୧୭ ଫେବୃଆରୀ ୨୪- କାନପୁର ଦୁର୍ଘଟଣା ଏକ ଷଡ଼ଯନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
୨୦୧୮ ଅକ୍ଟୋବର ୨୧- ଖବର ପ୍ରକାଶ ପାଇଲା ଯେ, ଏନଆଇଏ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିବ ନାହିଁ।
୨୦୨୩ ଜୁନ ୬- କାନପୁର ଟ୍ରେନ ଦୁର୍ଘଟଣା ଉପରେ ଏନଆଇଏର ଚୂଡାନ୍ତ ରିପୋର୍ଟକୁ ନେଇ କୌଣସି ଆନୁଷ୍ଠାନିକ ଖବର ମିଳିପାରି ନାହିଁ। ଏପରିକି ଘଟଣାରେ କାହାକୁ ଉତ୍ତରଦାୟୀ କରାଗଲା ନାହିଁ।
ଏ ଖବର ପଢନ୍ତୁ- ବାହାନଗା ଦେଇ ପାସ୍ କଲା କରମଣ୍ଡଳ ଟ୍ରେନ୍, ଚେନ୍ନାଇରୁ ଯାଉଛି ଶାଲିମାର୍
ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ମମତା ବାନାର୍ଜୀ ଏବଂ ପବନ କୁମାର ବଂଶଲ ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ସୁପାରିସ କରିବା ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ଏହା ପୂର୍ବରୁ ଜ୍ଞାନେଶ୍ଵରୀ ଏକ୍ସପ୍ରେସ୍ ଏବଂ ସାଥିଆ ଦୁର୍ଘଟଣା ମାମଲାରେ ସିବିଆଇ ତଦନ୍ତ କରିଥିଲା। ମାତ୍ର ଏଥିରେ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ।

ସିବିଆଇ ଅପରାଧର ତଦନ୍ତ କରେ ରେଳ ଦୁର୍ଘଟଣାର ନୁହେଁ
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୪ ପୃଷ୍ଠାର ଏକ ଚିଠି ଲେଖିଛନ୍ତି। ସେ ୧୧ଟି ପଏଣ୍ଟ ଉଠାଇ ଯୁକ୍ତି ବାଢିଛନ୍ତି ଯେ, ସିବିଆଇ ଅପରାଧିକ ମାମଲାର ତଦନ୍ତ କରିଥାଏ, ରେଳ ଦୁର୍ଘଟଣାର ନୁହେଁ। ରେଳ ମନ୍ତ୍ରୀ ଦାବି କରୁଛନ୍ତି ଯେ, ଦୁର୍ଘଟଣାର ମୂଳ କାରଣ ଜଣା ପଡ଼ି ଯାଇଛି। ସିବିଆଇ ଅପରାଧର ତଦନ୍ତ କରିଥାଏ, ଦୁର୍ଘଟଣାର ନୁହେଁ।
ଏ ଖବର ପଢନ୍ତୁ- ଟ୍ରେନ୍ ଦୁର୍ଘଟଣା ପରେ ବହୁ ସଂଖ୍ୟାରେ କ୍ୟାନ୍ସଲ ହୋଇଥିଲା ଟିକେଟ୍, କଂଗ୍ରେସର ଦାବି ପରେ ଡାଟା ସହ ଜବାବ ଦେଲା IRCTC
ପୂର୍ବତନ ରେଳ ମନ୍ତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରି କହିଛନ୍ତି, ସିବିଆଇ ତଦନ୍ତର କୌଣସି ନିଷ୍କର୍ସ ବାହାରିବ ନାହିଁ। ମୁଁ ୧୨ ବର୍ଷ ପୂର୍ବେ ଜ୍ଞାନେଶ୍ଵରୀ ଏକ୍ସପ୍ରେସ୍ ଦୁର୍ଘଟଣା ମାମଲାର ତଦନ୍ତ ସିବିଆଇକୁ ଦେଇଥିଲି। ହେଲେ କୌଣସି ନିଷ୍କର୍ସ ବାହାରିଲା ନାହିଁ। ସିବିଆଇ ଅପରାଧିକ ମାମଲାର ତଦନ୍ତ କରିଥାଏ। ମାତ୍ର ଏହା ଦୁର୍ଘଟଣାର ମାମଲା। ରେଲଓ୍ଵେ ସୁରକ୍ଷା ଆୟୋଗ ପ୍ରଥମେ ଘଟଣାର ତଦନ୍ତ କରିଥାନ୍ତି। ଆମେ ଚାହୁଁଛୁ ଲୋକେ ସତ୍ୟ ଜାଣନ୍ତୁ। ସତ୍ୟକୁ ଚପାଇ ରଖିବାର ଏହା ସମୟ ନୁହେଁ।

ସୂଚନାଯୋଗ୍ୟ, ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଛି। ଗତକାଲି ମୃତ୍ୟୁ ସଂଖ୍ୟା ୨୭୫ ଥିଲା। ହେଲେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ମୃତ୍ୟୁ ସଂଖ୍ୟା ୨୮୮ ହୋଇଛି। ଦୁର୍ଘଟଣାରେ ୧୨୦୦ରୁ ଅଧିକ ଆହତ ହୋଇଥିବା ବେଳେ ପାଖାପାଖି ୧୦୦୦ ଆହତ ଡିସଚାର୍ଜ ହେଲେଣି।