ଯୌତୁକ ନେଲା ଜୀବନ, ମହିଳାଙ୍କୁ ମାରିଦେଲେ ଶ୍ୱଶୁର ଘର ଲୋକେ !
20/12/2022 at 12:23 PM
ସାନଖେମୁଣ୍ଡି ୨୦/୧୨: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ଯୌତୁକ ନେଲା ଜୀବନ । ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ପରିବାର ଲୋକ ହତ୍ୟା କରିଛନ୍ତି ବୋଲି ମୃତକାଙ୍କ ମା ବାସନ୍ତୀ ପରିଡ଼ା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଖବର ମୁତାବକ ମୃତ ମହିଳା ହେଉଛନ୍ତି ୨୪ ବର୍ଷୀୟ ସୁଦେଷ୍ଣା ପରିଡ଼ା ।
୨୦୧୮ ମସିହାରେ ରାଳବ ଗ୍ରାମ ଯୁଧିଷ୍ଠୀର ପରିଡ଼ାଙ୍କ ପୁଅ ଅମର ପରିଡ଼ାଙ୍କୁ ବିବାହ କରିଥିବା ବେଳେ ତାଙ୍କର ୩ବର୍ଷର ଝିଅଟିଏ ଅଛି । ଅଭିଯୋଗ ଅନୁଯାୟୀ ସୁଦେଷ୍ଣାଙ୍କୁ ଅଧିକ ଯୌତୁକ ପାଇଁ ତାଙ୍କ ଶ୍ୱଶୁର ଘର ଲୋକଙ୍କ ପକ୍ଷରୁ ନିର୍ଯାତନା ଦିଆଯାଉଥିଲା । କିଛି ବର୍ଷ ପୂର୍ବେ ସେ କୋଦଳା ଥାନା ବି.ନୂଆପଲ୍ଲୀ ଗ୍ରାମ ସ୍ଥିତ ନିଜ ବାପ ଘରକୁ ଆସି ରହିଥିଲେ । କିନ୍ତୁ କିଛି ଦିନ ପରେ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ପରେ ସେ ପୁଣି ସ୍ୱାମୀ ଘରକୁ ଆସିଥିଲେ ।
ସୋମବାର ଦିନ ସୁଦେଷ୍ଣା ଆତ୍ମହତ୍ୟା କରିଥିବା ଖବର ଶୁଣି ମୃତକଙ୍କ ମା ଓ ପରିବାର ଲୋକ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆସି ପହଞ୍ଚି ଥିଲେ । କିନ୍ତୁ ଦାବି ମୁତାବକ ଅଧିକ ଯୌତୁକ ରାଶି ଦେଇ ନପାରିବାରୁ ତାଙ୍କ ଝିଅକୁ ଜ୍ୱାଇଁ ଅମର ପରିଡ଼ା ଓ ପରିବାରର ଅନ୍ୟ ୬ ଜଣ ସଦସ୍ୟ ମିଳିମିଶି ହତ୍ୟା କରିଦେଇଛନ୍ତି ବୋଲି ମୃତକାଙ୍କ ମା ବାସନ୍ତୀ ପରିଡ଼ା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହିଞ୍ଜିଳି ଥାନା କୁହାଯାଇଛି ।