ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ଖୁଲାସା, ତଣ୍ଟି ଚିପି ହତ୍ୟା କରିବା ପରେ ଗଛରେ ଟାଙ୍ଗି ଦେଇଥିଲା ବିବାହିତ ପ୍ରେମିକ

25/11/2022 at 12:24 PM

ବଡବିଲ: ଗତ ୧୮ ତାରିଖରେ ବଡ଼ବିଲ,  ହାୟରପୁର ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ଖୁଲାସା କରିଛି ବଡ଼ବିଲ ପୋଲିସ୍ । ଯୁବତୀ ଜଣକ ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କୁ ନିର୍ମମ ଭାବରେ ତଣ୍ଟି ଚିପି ହତ୍ୟା କରିବାପରେ ଗଛରେ ଟାଙ୍ଗି ଦିଆଯାଇଥିଲା ବୋଲି ପୋଲିସ୍ ତଦନ୍ତରୁ ସ୍ପଷ୍ଟ ହୋଇଛି । ତେବେ ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟାଇଥିଲେ  ଯୁବତୀଙ୍କ ବିବାହିତ ପ୍ରେମିକ ଅରୁଣ କୁମାର ମହାନ୍ତ  ।

ସୂଚନା ଅନୁଯାୟୀ, ବଡ଼ବିଲ ସାନ୍ତବାହାଳ ଅଞ୍ଚଳର ଯୁବତୀ ମନିଷା ମହାନ୍ତ ଏବଂ ଦାମୁ ହଟିଂର  ଯୁବକ ଅରୁଣ  ମହାନ୍ତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ।ଅରୁଣ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ମନିଷା ଅରୁଣଙ୍କୁ ବିବାହ କରିବାକୁ କହୁଥିଲେ ହେଁ, ଅରୁଣ କଥାକୁ ଏଡ଼ାଇ ଚାଲିଥିଲେ । ଏହାରି ଭିତରେ ସେ  ମନିଷାଙ୍କ ଠାରୁ ପାଖାପାଖି ୯୦ ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲେ । ତେବେ ଏହି ଟଙ୍କା  ଫେରାଦେବାକୁ କହି ଗତ ୧୭ ତାରିଖରେ ମନିଷାଙ୍କୁ ବଡ଼ବିଲ ବସ୍ ଷ୍ଟାଣ୍ଡକୁ ଡାକିଥିଲେ ଅରୁଣ । ମନିଷା ନିଜର ଜଣେ ଭାଇଙ୍କ ସହ ବସ୍ ଷ୍ଟାଣ୍ଡକୁ ଆସି ଅରୁଣଙ୍କ ସହ ଦେଖାହୋଇଥିଲେ । ତେବେ ଭାଇକୁ ଘରକୁ ପଠାଇଦେଇ ନିଜେ ଅରୁଣ ସହିତ ରହିଯାଇଥିଲେ ମନିଷା ।

ଏହାପରେ ଉଭୟ ବାଇକ୍ ଯୋଗେ ପ୍ରଥମେ ଚମ୍ପୁଆ ଯାଇଥିଲେ । କିଛି ଦିନ ପୂର୍ବେ ଜଣେ ଯୁବକଙ୍କ ସହିତ ମନିଷାକୁ ଦେଖିବା ପରଠାରୁ  ମନିଷାଙ୍କୁ  ସନ୍ଦେହ କରିଆସୁଥିଲେ ଅରୁଣ । ସେହି ଯୁବକଙ୍କ ସହ ମନିଷାଙ୍କ ପ୍ରେମ ସମ୍ପର୍କ ଥିବା ନେଇ ସେ ସନ୍ଦେହ କରୁଥିଲେ । ଯୁବକ ଜଣକ କିଏ ଏବଂ ତାଙ୍କ ସହ କି ସମ୍ପର୍କ ରହିଛି ତାହା ଚମ୍ପୁଆରେ ମନିଷାଙ୍କ ଠାରୁ ଜାଣିବାକୁ ଚାହିଁଥିଲେବି ମନିଷା କିଛି କହି ନଥିଲେ । ସନ୍ଧ୍ୟାରେ ଚମ୍ପୁଆରୁ ଫେରି ସାନ୍ତବାହାଳ ସ୍ଥିତ ମନିଷାଙ୍କ ଘର ନିକଟକୁ ଯାଇଥିଲେ ଉଭୟ। ସେଠାରେ ମଧ୍ୟ ସେହି ଯୁବକ ଜଣକ କିଏ ବୋଲି ପ୍ରଶ୍ନ କରିଥିଲେ ଅରୁଣ ।

ତେବେ ମନିଷାଙ୍କ ଠାରୁ ଉତ୍ତର ନମିଳିବାରୁ ସେଠାରୁ ପାଖରେ ଥିବା ହାୟରପୁର ଜଙ୍ଗଲକୁ ନେଇଯାଇଥିଲେ ଅରୁଣ । ନିଛାଟିଆ ଜଙ୍ଗଲରେ  ସେ ଯୁବକ କିଏ ବୋଲି ବାରମ୍ୱାର ପଚାରିବା ସତ୍ବେ ମନିଷା କୌଣସି ଉତ୍ତର ନଦେଇ ଚୁପ୍ ରହିଥିଲେ, ଯାହାଫଳରେ   ଅରୁଣ କ୍ରୋଧ ସମ୍ଭାଳି ନପାରି ମନିଷାଙ୍କୁ ଆକ୍ରମଣ କରିଥିଲେ । ପ୍ରଥମେ ଏକ ଶକ୍ତ ଚାପୁଡ଼ା ମାରି  ତଳେ ପକାଇଦେବା ପରେ ନିର୍ମମ ଭାବରେ ମନିଷାର ତଣ୍ଟି ଚିପି ହତ୍ୟାକରିଥିଲେ । ହତ୍ୟାକାଣ୍ଡ ଭିଆଇବା ପରେ ଘଟଣାକୁ ଆତ୍ମହତ୍ୟାର ରୂପଦେବା ପାଇଁ ଭରପୁର ଚେଷ୍ଟା କରିଥିଲେ ଅଭିଯୁକ୍ତ ପ୍ରେମିକ। ମନିଷା ଘୋଡ଼ାଇ ହୋଇଥିବା ଚଦରକୁ ତାଙ୍କ ବେକରେ ବାନ୍ଧି ଏକ ଗଛରେ ଟାଙ୍ଗି ଦେଇ ସେଠାରୁ ଚାଲିଯାଇଥିଲେ । ତେବେ ମନିଷାଙ୍କ ପରିବାର ଲୋକଙ୍କ ଅଭିଯୋଗ ଏବଂ ପୋଷ୍ଟ ମାର୍ଟମ ରିପୋର୍ଟକୁ ଆଧାର କରି ପୋଲିସ୍ ଖୋଳତାଡ଼ କରିବାପରେ ପ୍ରକୃତ କଥା ପଦାକୁ ଆସିଥିଲା ଏବଂ ଅଭିଯୁକ୍ତ ଅରୁଣ ମହାନ୍ତକୁ ଗିରଫ କରିଥିଲା ବଡ଼ବିଲ ପୋଲିସ୍ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

   Related Posts