ବିସିସିଆଇକୁ ଘାଟାରେ ନ ପକାଉ ଆଇପିଏଲର ଖରାପ ଟିଭି ରେଟିଙ୍ଗ୍ସ ? ଚେୟାରମ୍ୟାନ ଦେଲେ ଏମିତି ଉତ୍ତର

Published By : Prameya-News7 Bureau | May 05, 2022 IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ର ଅଧା ସିଜିନ ଶେଷ ହୋଇ ସାରିଛି। ଏବେ ପ୍ଲେ ଅଫ ପାଇଁ ଦଳଗୁଡିକ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇ ଯାଇଛି। ଗୋଟିଏ ପଟେ ପଡିଆରେ ଖେଳାଳି ଝାଳ ବୁହାଉଥିବା ବେଳେ ଅନ୍ୟପଟେ ଚିନ୍ତାରେ ବିସିସିଆଇ। କାରଣ ଆଗାମୀ ସିଜିନ ପାଇଁ ଆଇପିଏଲ ମିଡିଆ ରାଇଟ୍ସର ଟେଣ୍ଡର ବାହାରି ସାରିଛି। ଶୀଘ୍ର ବୋର୍ଡ କାହାକୁ ମିଳିବ ମିଡିଆ ରାଇଟ୍ସ ଶୀଘ୍ର ଘୋଷଣା କରିବାକୁ ଯାଉଛି।

ଆଇପିଏଲ ୨୦୨୨ ଟିଭି ରେଟିଂ ହିସାବରେ ଚଳିତ ଥର ବହୁତ ଦୁର୍ବଳ ରହିଛି। ଆଇପିଏଲର ପ୍ରାରମ୍ଭିକ ଦୁଇ ତିନି ସପ୍ତାହରେ ଟିଭି ରେଟିଙ୍ଗ୍ସ ୩୦ ପ୍ରତିଶତ ହ୍ରାସ ଘଟିଛି। ଚିନ୍ତାର ବିଷୟ ଏହା ଯେଉଁ ସମୟରେ ଟିଭି ରାଇଟ୍ସ ମିଳିବାର ସମୟ ସେହି ସମୟରେ ରେଟିଂ କମିବା ନିଲାମରେ ନକରାତ୍ମକ ପ୍ରଭାବ ପକାଇପାରେ।

ଆଇପିଏଲର ଚେୟାରମ୍ୟାନ ବୃଜେଶ ପଟେଲ ଆଇପିଏଲ ରେଟିଂ ହ୍ରାସ ପାଉଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ଏହା ଚିନ୍ତାର ବିଷୟ ନୁହେଁ। ଟିଭି ରେଟିଂରେ ନିଶ୍ଚୟ ହ୍ରାସ ଘଟିଛି, ମାତ୍ର ମିଡିଆ ରାଇଟ୍ସ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ।

ବୃଜେଶ ପଟେଲ୍ କହିଛନ୍ତି, ଲକଡାଉନ ପରେ ସବୁ ଖୋଲିଛି ଏବଂ ଲୋକେ ଘରୁ ବାହାରିଛନ୍ତି। ଏହି ସମୟରେ ସେମାନେ ପବ, ବାର, କ୍ଲବ ଏବଂ ରେସ୍ତୋରାଁରେ ମ୍ୟାଚ୍ ଦେଖୁଛନ୍ତି, କାରଣ ରାତିରେ ଲୋକେ ସେହି ସ୍ଥାନରେ ସମୟ କାଟୁଛନ୍ତି। ତେଣୁ ଆଇପିଏଲର ଲୋକପ୍ରିୟତା ଉପରେ କୌଣସି ଫରକ ପଡୁନାହିଁ।

ଆଇପିଏଲର ମିଡିଆ ରାଇଟ୍ସ ୨୦୨୩-୨୭ ପାଇଁ ରହିବ। ବିସିସିଆଇ ଆଶା ରଖିଛି ଯେ, ଏଥିରେ ୪୦ ରୁ ୫୦ ହଜାର  କୋଟି ଟଙ୍କା ଆୟ ହୋଇପାରେ। ମିଡିଆ ରାଇଟ୍ସ ପାଇଁ ଦାବିଦାରଙ୍କ ଲମ୍ବା ତାଲିକା ମଧ୍ୟ ରହିଛି। ଏଥିରେ ଷ୍ଟାର ବ୍ୟତୀତ ସୋନି, ଭାୟକମ ୧୮, ଆମାଜନ, ନେଟଫ୍ଲିକ୍ସ ସମେତ ଅନ୍ୟ ଚ୍ୟାନେଲ ଦୌଡରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.