ଭାରତ ପାଇଁ ବହୁତ ବଡ ଝଟକା ! ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡି ପାରନ୍ତି ରବୀନ୍ଦ୍ର ଜାଡେଜା

Published By : Prameya-News7 Bureau | September 03, 2022 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ପୂର୍ବରୁ ଭାରତକୁ ବଡ ଝଟକା ଲାଗିପାରେ। ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଣ୍ଠୁରେ ଆଘାତ ଲାଗିଥିବା କାରଣରୁ ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡି ପାରନ୍ତି। ଆଣ୍ଠୁରେ ଆଘାତ ସମସ୍ୟା ଗୁରୁତର ଥିବାରୁ ତାଙ୍କୁ ସର୍ଜରୀ କରିବାକୁ ପଡିପାରେ। ଏମିତି ହେଲେ ଜାଡେଜାଙ୍କୁ ଅନେକ ମାସ ପ୍ରତିଯୋଗିତାମୂଳକ କ୍ରିକେଟ୍‌ରୁ ଦୂରେଇ ରହିବାକୁ ପଡିବ।

ଜାଡେଜାଙ୍କ ଆଣ୍ଠୁଜନିତ ସମସ୍ୟା ଗତ ବର୍ଷ ଟି-୨୦ ବିଶ୍ଵ କପ୍ ୨୦୨୧ ପରେ ସାମ୍ନାକୁ ଆସିଥିଲା। ଏହା ପରେ ଜାଡେଜା ଅନେକ ସିରିଜ୍ ଖେଳି ପାରିନଥିଲେ। ସେହି ସମୟରେ ଜାଡେଜାଙ୍କୁ ଆଣ୍ଠୁରେ ଅସ୍ତ୍ରୋପଚାର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଜାଡେଜା ମାନିନଥିଲେ ଏବଂ କଥାକୁ ହାଲୁକା ଭାବେ ନେଇ ଇଞ୍ଜେକ୍ସନ ଏବଂ ରିହାବ ଜରିଆରେ ନିଜକୁ ଫିଟ୍ ରଖିବାକୁ ଯଥା ସମ୍ଭବ ଉଦ୍ୟମ କରିଥିଲେ।

ହେଲେ ଏସିଆ କପ୍ ୨୦୨୨ରେ ପୁଣି ଥରେ ଜାଡେଜାଙ୍କ ଆଣ୍ଠୁ ସମସ୍ୟା ସାମ୍ନାକୁ ଆସିଛି। ଏବେ ଜାଡେଜାଙ୍କୁ ଅସ୍ତ୍ରୋପଚାର କରାଇବାକୁ ହିଁ ପଡିବ। ଅପରେସନ ହେଲେ ତାଙ୍କୁ ସୁସ୍ଥ ହେବାକୁ ପାଖାପାଖି ଛଅ ମାସର ସମୟ ଲାଗିବ। ଜାଡେଜା ଏସିଆ କପରେ ପାକିସ୍ତାନ ଏବଂ ହଂକଂ ବିପକ୍ଷ ଦୁଇଟି ମ୍ୟାଚ୍ ଖେଳିଥିଲେ। ସେ ଦଳକୁ ଉଭୟ ବୋଲିଂ ବ୍ୟାଟିଂ ସହିତ ଫିଲ୍ଡିଂରେ ଉତ୍ତମ ସନ୍ତୁଳନ ପ୍ରଦାନ କରିଥାନ୍ତି। ତାଙ୍କ ଅନୁପସ୍ଥିତି ରୋହିତ ଶର୍ମାଙ୍କ ପାଇଁ ବହୁତ ବଡ ଝଟକା ହେବ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଜାଡେଜାଙ୍କ ଡାହାଣ ଗୋଡର ଆଣ୍ଠୁରେ ଗମ୍ଭୀର ଆଘାତ ଲାଗିଛି। ତାଙ୍କୁ ବଡ ସର୍ଜରୀ କରାଇବାକୁ ପଡିବ ଏବଂ ସେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ଦୂରେଇ ରହିବୋ ବର୍ତ୍ତମାନ ଯଦି ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ଡାକ୍ତରୀ ଦଳଙ୍କ ଆକଳନ ହିସାବରେ ଜାଡେଜା କେତେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ସେ ନେଇ କୌଣସି ସମୟ ସୀମା ଦିଆଯାଇ ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.