ସ୍ନାନ ପୁର୍ଣ୍ଣିମାରେ ଅଘଟଣ: ଶ୍ରୀକ୍ଷେତ୍ରରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ, ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁଙ୍କ ପ୍ରବେଶ
4/06/2023 at 8:13 PM

ପୁରୀ ୦୪/୦୬: ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ ଶ୍ରୀକ୍ଷେତ୍ର ପୁରୀରେ ଅଘଟଣ ଘଟିଛି। ଶନିବାର ପୁରୀରେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ୨ ପର୍ଯ୍ୟଟକଙ୍କ ମଧ୍ୟରୁ ସମୁଦ୍ରରେ ଗାଧୋଇବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନିରଜ ଚାନ୍ଦ (୧୪)। ସେ ରାଜସ୍ଥାନର ବାସିନ୍ଦା। ନିରଜ ବେଳାଭୂମିର ସେକ୍ଟର ୭ରେ ଗାଧୋଇ ବେଳେ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡ ନିରଜଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସେହିପରି ମନ୍ଦିର ବେଢାରେ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨ ଶ୍ରଦ୍ଧାଳୁ ଗୁରୁତର ହୋଇଥିଲେ। ମୃତ ଶ୍ରଦ୍ଧାଳୁ ଜଣକ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡ଼ିଛି। ସ୍ନାନ ମଣ୍ଡପ ପାଖରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁରୀରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଅନ୍ୟପଟେ ମହାପ୍ରଭୁଙ୍କ ସ୍ନାନବେଦୀରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା। ସ୍ନାନ ମଣ୍ଡପରେ ଚକଡ଼ାରେ ଲାଗିଥିଲା ରକ୍ତଛିଟା। ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଥିଲା। ଜଣେ ସେବାୟତଙ୍କ ଗୋଡ଼ରେ ରକ୍ତଛିଟା ଲାଗିଥିବା ସୂଚନା ମିଳିଥିଲା।
ସେପଟେ, କଲୋମ୍ବିଆର ଜଣେ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସିଂହଦ୍ଵାର ଦେଇ ଅଣହିନ୍ଦୁ ଜଣକ ପ୍ରବେଶ କରିଥିଲେ। ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ତାଙ୍କୁ ବାହାରକୁ ବାହାର କରିଥିଲେ। ଘଟଣା ନଜରକୁ ଆସିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ସମ୍ପୃକ୍ତ ଅଣହିନ୍ଦୁଙ୍କୁ ବାହାର କରାଯାଇଛି। କେଉଁ ପରିସ୍ଥିତିରେ ସେ ଭିତରକୁ ଗଲେ ତାର ତଦନ୍ତ ହେବ ବୋଲି ଏନେଇ ଏସପି ପ୍ରତିକ୍ରିୟା ଦେଇଛନ୍ତି।