ଖରାପ ବ୍ୟାଟିଂ କଲୁ, ୩୦-୪୦ ରନ କମିଗଲା, ପ୍ରଥମ ଦିନିକିଆ ହାରିବା ପରେ ଆଉ କ’ଣ କହିଲେ ରୋହିତ
4/12/2022 at 9:04 PM

ମୀରପୁର: ଆୟୋଜକ ବାଂଲାଦେଶ ପ୍ରଥମ ଦିନିକିଆରେ ଭାରତୀୟ ଦଳକୁ ରୋମାଞ୍ଚକର ମୁକାବିଲାରେ ୧ ଓ୍ଵିକେଟରେ ପରାସ୍ତ କରିଛି। ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ସମେତ ଭାରତୀୟ କ୍ରିକେଟ୍ ଦଳର ଅନେକ ତାରକା ବ୍ୟାଟସମ୍ୟାନ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଲୋକେଶ ରାହୁଲ ଅର୍ଦ୍ଧଶତକ ହାସଲ କରି ଭାରତର ସମ୍ମାନ ବଞ୍ଚାଇଛନ୍ତି ଏବଂ ଭାରତୀୟ ଦଳ ୧୮୬ ରନ କରି ପାରିଥିଲା। ରାହୁଲ ୭୩ ରନ ଇନିଂସ ଖେଳିଛନ୍ତି। ସାକିବ ଉଲ ହସନ ୩୬ ରନ ଦେଇ ୫ ଓ୍ଵିକେଟ୍ ଏବଂ ଇବାଦତ ହୁସେନ ୪୭ ରନରେ ୪ ସଫଳତା ପାଇଛନ୍ତି। ଜବାବରେ ବାଂଲାଦେଶ ମେହଦି ହାସନ ମିର୍ଜାଙ୍କ ଅପରାଜିତ ୩୮ ରନ ଏବଂ ମୁସ୍ତାଫିଜୁର ରେହମାନଙ୍କ ଅପରାଜିତ ୧୦ ରନ ବଳରେ ୪୬ ଓଭରରେ ୯ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ମିର୍ଜା ଏବଂ ରେହମାନ ଅସମାପ୍ତ ୧୦ମ ଓ୍ଵିକେଟରେ ୫୧ ରନ ଯୋଡି ଦଳକୁ ଐତିହାସିକ ବିଜୟ ଦେଇଛନ୍ତି।
ମ୍ୟାଚ୍ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଏହା ବହୁତ ରୋମାଞ୍ଚକର ମୁକାବିଲା ଥିଲା। ଆମେ ମ୍ୟାଚ୍ରେ ଦମଦାର ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିଥିଲୁ। ଆମର ବ୍ୟାଟିଂ ବହୁତ ଖରାପ ରହିଥିଲେ ହେଁ ବୋଲର ଦମଦାର ବୋଲିଂ କରିଛନ୍ତି। ଆମେ ଶେଷ ପର୍ଯ୍ୟନ୍ତ ବାଂଲାଦେଶ ଖେଳାଳିଙ୍କ ଉପରେ ଚାପ ପକାଇ ରଖିଥିଲୁ। ଆମେ ଶେଷ ଆଡକୁ ଅଧିକ ରନ କରି ପାରିଲୁନି। ଯଦି ୩୦-୪୦ ରନ ଅଧିକ କରିଥାନ୍ତୁ ତେବେ ନିଶ୍ଚିତ ରୂପେ ପରିଣାମ ଅଲଗା କିଛି ରହିଥାନ୍ତା। କେଏଲ ରାହୁଲ ଏବଂ ଓ୍ଵାଶିଂଟନ ସୁନ୍ଦର ଭଲ ପ୍ରଦର୍ଶନ କରିଛନ୍ତି।
ସେ କହିଛନ୍ତି, ମୁସ୍କିଲ ପିଚ୍ରେ ବ୍ୟାଟିଂ କରିବା ଚ୍ୟାଲେଞ୍ଜିଂ ରହିଥିଲା। ବ୍ୟାଟରଙ୍କୁ ବୁଝିବା ଉଚିତ୍ ଯେ, ଏମିତି ପିଚ୍ରେ କେମିତି ବ୍ୟାଟିଂ କରାଯାଏ। କୌଣସି ବାହାନା ଚଳିବ ନାହିଁ। ଆମେ ଏମିତି ପରିସ୍ଥିତିରେ ଖେଳିବାରେ ଅଭ୍ୟସ୍ତ। ସମସ୍ତ ଖେଳାଳି ଏମିତି ପରିସ୍ଥିତିରେ ଖେଳି ଆଗକୁ ବଢିଛନ୍ତି। ଥରୁଟିଏ ଯେବେ ଆପଣ ଚାପର ମୁକାବିଲା କରି ପାରିବା ଜାଣନ୍ତି ତେବେ ଆପଣଙ୍କ ଆତ୍ମ ବିଶ୍ଵାସ ବୃଦ୍ଧି ଘଟିଥାଏ। ଏହି ଧରଣର ଚାପର ମୁକାବିଲା କରିବା ବହୁତ ଜରୁରୀ। ଆଶା କରୁଛି ଆଗାମୀ ମ୍ୟାଚ୍ରେ ସୁଧାର ଆସିବ।