ବିବାଦୀୟ ଢାଞ୍ଚା ବିଧ୍ୱଂସ ମାମଲା, ଆଡଭାନୀଙ୍କ ସହ ସମସ୍ତ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି, ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଦାଖଲ ଯାଚିକା ଖାରଜ

Published By : Prameya-News7 Bureau | November 09, 2022 IST

ଲକ୍ଷ୍ନୌ: ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ବିଧ୍ୱଂସ ମାମଲାରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲାକୃଷ୍ଣ ଆଡଭାନୀଙ୍କ ସହ ସମସ୍ତଙ୍କ ଅଭିଯୁକ୍ତଙ୍କୁ ବୁଧବାର ବଡ଼ ଆଶ୍ୱସ୍ତି ମିଳିଛି । ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯିବା ବିରୋଧରେ ଦାଖଲ ଯାଚିକାକୁ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ଖାରଜ କରିଛନ୍ତି । ନ୍ୟାୟମୂର୍ତ୍ତି ରମେଶ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଅକ୍ଟୋବର ୩୧ରେ ଏହି ମାମଲା ଉପରେ ନିଜ ରାୟକୁ ସରଂକ୍ଷିତ ରଖିଥିଲେ ।

ଅଯୋଧ୍ୟାର ବାସିନ୍ଦା ହାଜୀ ମହବୁବ ଅହମଦ ଏବଂ ସୈୟଦ ଅଖଲାଖ ଅହମଦଙ୍କ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଥିଲା । ମାମଲାରେ ପ୍ରଥମେ ପୁନଃନରୀକ୍ଷଣ ନେଇ ଯାଚିକା ଦାଖଲ କରାଯାଇଥିଲା । ପରେ ନ୍ୟାୟଳୟ ଏହାକୁ ଅପରାଧିକ ଅପିଲରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାରେ ସିବିଆଇ ପକ୍ଷରୁ ମଧ୍ୟ ଆପତ୍ତି ଦାଖଲ କରାଯାଇଥିଲା।

ସିବିଆଇର ଯୁକ୍ତି ଥିଲା ଆବେଦନକାରୀ ଏହି ମାମଲାରେ ପୀଡିତ ନୁହନ୍ତି । ତେଣୁ ସିଆରପିସିର ଧାରା ୩୭୨ ଅନୁସାରେ ବର୍ତ୍ତମାନ ଆବେଦନ ଦାଖଲ କରିପାରିବେ ନାହିଁ । ଅନ୍ୟପଟେ ଆବେଦନକାରୀଙ୍କ କହିବା ଅନୁସାରେ, ବିବାଦୀୟ ଡାଞ୍ଚା ଭଙ୍ଗାଯିବା ଯୋଗୁଁ ସେମାନେ ପୀଡିତଙ୍କ ପକ୍ଷରେ ଅଛନ୍ତି । ତେଣୁ ସେସନ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର ଅଧିକାର ସେମାନଙ୍କ ପାଖରେ ଅଛି ।

ଏହା ପୂର୍ବରୁ ସ୍ୱତନ୍ତ୍ର କୋର୍ଟ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲାକୃଷ୍ଣ ଆଡଭାନୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ସାଂସଦ ସାକ୍ଷୀ ମହାରଜ, ଲଲ୍ଲୁ ସିଂ ଏବଂ ବୃଜଭୂଷଣ ଶରଣ ସିଂଙ୍କ ସମେତ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

୧୯୯୨ ମସିହା ଡିସେମ୍ୱର ୬ରେ ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ଧ୍ୱଂସ କରାଯିବା ମାମଲାରେ ୨୮ ବର୍ଷ ପରେ ରାୟ ଆସିଥିଲା । ସ୍ପେଶାଲ ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ଘଟଣା ସୁନିୟୋଜିତ ନଥିଲା ବୋଲି କହିଥିଲେ । ନେତାଙ୍କ ଅଡିଓ ସ୍ପଷ୍ଟ ନାହିଁ, ଭିଡକୁ ଅଟକାଇବା ପାଇଁ ନେତାମାନେ ପ୍ରୟାସ କରିଥିଲେ । ଏହାସହ ଜଜ କହିଥିଲେ, ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ଏହି ଘଟଣା ଅଚାନକ ଘଟିଥିବା କୋର୍ଟ କହିଥିଲେ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.