ବାଙ୍କି ବାନରା ଆଶ୍ରମରୁ ଘରକୁ ଫେରିନି ବଢିଲା ଝିଅ, ଫେରାଇ ଆଣିବାକୁ ଆକୁଳ ନିବେଦନ କରୁଛନ୍ତି ପରିବାର

Published By : Prameya-News7 Bureau | July 21, 2022 IST

ବ୍ରହ୍ମପୁର ୨୧/୦୭: ଆଶ୍ରମ ବିରୋଧରେ ସଙ୍ଗୀନ ଅଭିଯୋଗ । ବାବାଙ୍କ ଆଶ୍ରମକୁ ଯାଇ ଫେରିନି ବଢିଲା ଝିଅ । ଆଉ ଝିଅକୁ ଦେଖାକରିବାକୁ ଯାଉଥିବା ପରିବାର ଲୋକଙ୍କୁ ଆଶ୍ରମ ଅନ୍ତେବାସୀଙ୍କ ଧମକ । ରେଶମ ସହର ବ୍ରହ୍ମପୁର ଲୋଚାପଡାରେ ଘଟିଛି ଏମିତି ଘଟଣା । ଦେଢ ବର୍ଷ ତଳେ ଆଶ୍ରମକୁ ଆରୋଗ୍ୟ ହେବାକୁ ଯାଇ ଆଉ ଘରକୁ ଫେରିନି ଉଚ୍ଚଶିକ୍ଷିତା ଝିଅ । ଝିଅକୁ ପାଇବାକୁ ପୋଲିସ ନିକଟରେ ମାଆ କରୁଛନ୍ତି ଆକୁଳ ନିବେଦନ ।

ନ୍ୟାୟ ଦାବିରେ ଏସ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା କଲ୍ୟାଣ ସଂଘର ବିକ୍ଷୋଭ । କେ.ପୁଷ୍ପାବତୀ ଓ କେ.କାନ୍ତା ରାଓଙ୍କ ଝିଅ କେ.ସୁଧା । ବୟସ ୨୬ । ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍ ପାସ୍ । ଝିଅର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ଚିନ୍ତିତ ଥିଲେ ବାପା ମାଆ । ତେବେ ଝିଅଟିକୁ ବାବା ମୁକୁନ୍ଦାନନ୍ଦଙ୍କ ଆଶ୍ରମରେ ଛାଡିଦେଲେ ସେ ଭଲ ହୋଇଯିବ । ଝିଅର ବାପା ମାଆଙ୍କୁ ଏପରି କହି ପ୍ରଭାବିତ କରିଥିଲେ ବାବା ସ୍ୱାମୀ ମୁକୁଦାନନ୍ଦଙ୍କ ଅନୁଗତ ।

ତାହାକୁ ବିଶ୍ୱାସ କରି କଟକ ବାଙ୍କି ବାନରା ଆଶ୍ରମରେ ୨୦୨୧ ଜାନୁୟାରୀ ୫ରେ ଝିଅ ସୁଧାକୁ ଛାଡିଥିଲେ ପରିବାର । ହେଲେ ଏହା ପରଠୁ ଆଉ ଘରକୁ ଆସିନି ଝିଅ । ଏପରିକି ଦେଖା ସାକ୍ଷାତ ବି ମିଳୁନି । ଆଶ୍ରମକୁ ଗଲେ ମାଡ ମାରୁଛନ୍ତି ଆଶ୍ରମ ସଦସ୍ୟ । ଏନେଇ ମହିଳା କଲ୍ୟାଣ ସଂଘ ସହଯୋଗରେ ଏସ୍ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଦେଇଛନ୍ତି ମାଆ ବାପା ।

୧୫ ଦିନରେ ଝିଅ ଉଦ୍ଧାର ନହେଲେ ଆଶ୍ରମ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ରାଜ୍ୟପାଳ ଘଟଣା ବିଷୟରେ ଅବଗତ ହେବା ପରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦେଇଛନ୍ତି ନିର୍ଦ୍ଦେଶ । ଏହାସହ ଗଞ୍ଜାମ ଜିଲ୍ଲାପାଳ ବି ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ କରିଛନ୍ତି ତାଗିଦ । ଏହା ଜାଣିବା ପରେ ଘଟଣାର ସଠିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ୍ ପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.