ବାବା ରାମଦେବ ଲଞ୍ଚ୍ କଲେ କରୋନା ଔଷଧ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ

Published By : Prameya-News7 Bureau | February 19, 2021 IST

ନୂଆଦିଲ୍ଲୀ,୧୯/୦୨:  ଯୋଗଗୁରୁ ବାବା ରାମଦେବ କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ଏକ ନୂଆ ଔଷଧ ଲଞ୍ଚ୍ କରିଛନ୍ତି । ଶୁକ୍ରବାର ରାଜଧାନୀ ଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବରେ ଏକ କାର୍ଯ୍ୟକ୍ରମରେ ରାମଦେବ ଏହି ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଦର୍ଷବର୍ଦ୍ଧନ ଓ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଉପସ୍ଥିତ ଥିଲେ ।

ବାବା ରାମଦେବ କହିଛନ୍ତି ଯେ, ପତଞ୍ଜଳିର କରୋନିଲ୍ ଟାବଲେଟରେ ଏବେ କୋଭିଡର ଚିକିତ୍ସା ହେବ । ଆୟୁଷ ମନ୍ତ୍ରାଳୟ କରୋନିଲ୍ ଟାବଲେଟକୁ ସହାୟକ ଔଷଧ ଭାବେ ମଞ୍ଜୁରୀ ପ୍ରଦାନ କରିଛି । ଏହି ଔଷଧ ସହ ଜଡିତ ଅନେକ ରିସର୍ଚ୍ଚ ବୁକ୍ ମଧ୍ୟ ଜାରି କରାଯାଇଛି ।

ପୂର୍ବରୁ କରୋନିଲ୍ ଟାବଲେଟକୁ କେବଳ ଇମ୍ୟୁନିଟି ବୁଷ୍ଟର କୁହାଯାଉଥିଲା । ୭୦ ପ୍ରତିଶତ ଆକ୍ରାନ୍ତ ୩ ଦିନ ଔଷଧର ବ୍ୟବହାର ପରେ ସୁସ୍ଥ ହୋଇଯାଇଥିଲେ ବୋଲି କମ୍ପାନୀ ଦାବି କରିଥିଲା । ଶୁକ୍ରବାର ରାମଦେବ କହିଥନ୍ତି ଯେ, ଏହା ଏକ ଐତିହାସିକ ଦିନ । ଏହା ହୁ-ଜିଏମପି ସାର୍ଟିଫାଏଡ୍ ଅଟେ ।

ରାମଦେବ ଆହୁରି କହିଛନ୍ତି ଯେ, ଭାରତ ସାରା ବିଶ୍ୱରେ ନେତୃତ୍ୱ ନେବ । ସେହିପରି ନୀତିନ ଗଡକରୀ କହିଥିଲେ ଯେ, ବାବା ରାମଦେବ ଆୟୁର୍ବେଦର ଗବେଷଣା ପାଇଁ ଅନୁସନ୍ଧାନକାରୀ ସଂସ୍ଥା ପ୍ରତିଷ୍ଠା କରିଛନ୍ତି । ଆୟୁର୍ବେଦ ଉପରେ ପୂର୍ବରୁ ଭରସା ରହିଛି । ଏବେ କରୋନିଲକୁ ଲ୍ୟାବରୁ ପ୍ରମାଣପତ୍ର ମିଳିସାରିଛି ।

ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ କହିଛନ୍ତି ଯେ, ସବୁ ପରୀକ୍ଷାରେ କରୋନିଲର ରିପୋର୍ଟ ସକରାତ୍ମକ ଆସିଛି । ଲୋକଙ୍କୁ ସୁସ୍ଥ ରଖିବାରେ ଆୟୁର୍ବେଦର ଯୋଦଗାନ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ କୌଣସି ନୋଟିଫିକେସନ ଦରକାର ନାହିଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.